ବିଜେପି ସହ ଆଞ୍ଚଳିକ ଦଳ ନୁହେଁ କଂଗ୍ରେସ ହିଁ ଲଢ଼ିପାରିବ : ରାହୁଲ ଗାନ୍ଧୀ

ଜୟପୁର (ସଂକେତ୍ ଟିଭି) : କୌଣସି ଆଞ୍ଚଳିକ ଦଳ ବିଜେପି ସହ ଲଢ଼େଇ କରିପାରିବ ନାହିଁ । କେବଳ କଂଗ୍ରେସ ହିଁ ଜାତୀୟ ସ୍ତରରେ ବିଜେପିକୁ ମୁକାବିଲା କରିପାରିବ ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି ।

ସେ କହିଛନ୍ତି ଯେ ସର୍ବପୂରାତନ ଦଳ କଂଗ୍ରେସ ବ୍ୟତିତ ଅନ୍ୟ କୌଣସି ଆଞ୍ଚଳିକ ଦଳ ଏଭଳି ଲଢ଼େଇ କରିପାରିବେ ନାହିଁ । ଉଦୟପୁରରେ ହୋଇଥିବା କଂଗ୍ରେସ ଚିନ୍ତନ ଶିବିରରେ ରାହୁଲ କହିଥିଲେ ଯେ ଲୋକଙ୍କ ସହ ଯୋଗାଯୋଗକୁ ଆମେ ପୁଣି ବଢ଼ାଇବାକୁ ପଡିବ ଓ ଏହାର ପୁନରୁଦ୍ଧାର କରିବାକୁ ପଡିବ ।

ଯେଉଁ ସମ୍ପର୍କ ଭାଙ୍ଗିଯାଇଛି ତାହା ଯୋଡିବାକୁ ପଡିବ । ଆମେ ଏହାକୁ ଅଧିକ ସୁଦୃଢ଼ କରିବା । କୌଣସି ସର୍ତ୍ତ ମାଧ୍ୟମରେ ଏହା ହୋଇପାରିବ ନାହିଁ । ଏଥିପାଇଁ କଠିନ୍‌ ପରିଶ୍ରମ କରିବାକୁ ପଡିବ । ଧର୍ମାନ୍ତୀକରଣ ଏବେ ଭାରତରେ ଅନୁମତି ନାହିଁ । ମାତ୍ର ଆମେ ଦେଖୁଛୁ ଧର୍ମାନ୍ତୀକରଣ ଚାଲିଛି । କିନ୍ତୁ ଆମେ ବୁଝିପାରୁନାହୁଁ ଯେ ଏହା ସେମାନଙ୍କ ସହମତିରେ ହେଉଛି କି ନାହିଁ । ମୁଁ ଦୁର୍ନୀତିଗ୍ରସ୍ତ ନୁହେଁ କିମ୍ବା କାହାଠାରୁ ଟଙ୍କା ନେଇନାହିଁ । ତେଣୁ ଲଢ଼େଇ ପାଇଁ ମୁଁ ଭୟଭୀତ ନୁହେଁ । ତେଣୁ ମୁଁ ଲଢ଼େଇ କରିଚାଲିବି ।

ଘୃଣା ଓ ହିଂସାର ବିଚାରଧାରା ବିରୋଧରେ ଲଢ଼େଇ ଜାରି ରଖିବା । ଆମେ ଆର୍‌ଏସ୍‌ଏସ୍‌ ଭଳି ବିଭିନ୍ନ ସଂସ୍ଥାରେ ଅନୁପ୍ରବେଶ କରୁନାହୁଁ । ସେମାନେ ଯେଭଳି କରୁଛନ୍ତି ଆମେ ତା’ଠାରୁ ଦୂରରେ । ଆମେ ଆମ ଦଳର ଢ଼ାଞ୍ଚାକୁ ଆମୁଳଚୂଳ ପରିବର୍ତ୍ତନ କରିବା । ତୃଣମୂଳ ସ୍ତରରୁ ଏହା ପରିବର୍ତ୍ତନ ହେବ । ଆଞ୍ଚଳିକ ଦଳଗୁଡିକ ଆମ ଦଳ ଭଳି ଲଢ଼େଇ କରିପାରିବେ ନାହିଁ ବୋଲି ରାହୁଲ କହିଛନ୍ତି ।