ମିଳିତ ଜାତିସଂଘର ରିପୋର୍ଟ : ପାକିସ୍ତାନକୁ ମରୁଡ଼ି ଡର; ସିନ୍ଧୁ ପ୍ରଦେଶରେ ଜଳ ପାଇଁ ହାହାକାର

ଇସଲାମାବାଦ (ସଂକେତ୍ ଟିଭି) : ଦିନକୁ ଦିନ ଶୁଖିଯାଉଛି ପାକିସ୍ତାନ । ସିନ୍ଧୁ ପ୍ରଦେଶରେ ଜଳ ପାଇଁ ହାହାକାର ଡାକ ଦେଲେଣି ଜନତା । ଦୁଇବର୍ଷ ହେଲା ଏହି ସମସ୍ୟାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ପାକିସ୍ତାନବାସୀ । ଏକଥା ଆମେ କହୁନାହୁଁ ବରଂ ମିଳିତ ଜାତିସଙ୍ଘର ଏକ ରିପୋର୍ଟ ଏବେ ସମସ୍ତଙ୍କୁ ଆଶ୍ଚର୍ଯଚକିତ କରିଛି ।

ପାକିସ୍ତାନ ଦୁନିଆର ସେହି ୨୩ଟି ଦେଶ ମାନଙ୍କ ମଧ୍ୟରୁ ଗୋଟିଏ , ଯେଉଁମାନେ କି ଗତ ଦୁଇବର୍ଷରୁ ଅଧିକ ସମୟ ଧରି ଜଳାଭାବର ସାମ୍ନା କରୁଛନ୍ତି । ଆସନ୍ତା ୧୭ ଜୁନରେ ଆୟୋଜିତ ହେବାକୁ ଯାଉଥିବା ମରୁଭୁମି ଦିବସକୁ ଦୃଷ୍ଟିରେ ରଖି କୁହାଯାଇଛି ଯେ, ଉନବିଂଶ ଶତାବ୍ଦୀରେ ମରୁଡ଼ି ପାଇଁ ଏସିଆର ସବୁଠାରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ ।

ପାକିସ୍ତାନ ବ୍ୟତିତ ଜାତିସଙ୍ଘର ରିପୋର୍ଟରେ ଅନ୍ୟ ଯେଉଁ ୨୨ଟି ଦେଶ ସମ୍ପର୍କରେ କୁହାଯାଇଛି, ସେଗୁଡ଼ିକ ହେଲା, ଆଫଗାନିସ୍ଥାନ, ଅଙ୍ଗୋଲା, ବ୍ରାଜିଲ୍‌, ବିର୍କିନା ଫାସୋ, ଚିଲି, ଇଥିଓପିୟା, ଇରାକ, ଇରାନ, କାଗାକସ୍ଥାନ, କେନିଆ, ଲେସୋଥୋ, ମାଲି, ମାରିତାନ୍ୟା, ମେଡାଗାଷ୍କର, ମଲାବି, ମୋଜାମ୍ୱିକ, ନାଇଜର, ସୋମାଲିଆ, ଦକ୍ଷିଣ ସୁଡାନ୍‌, ସିରିୟା, ଆମେରିକା ଏବଂ ଜାମ୍ୱିଆ ।

ରିପୋର୍ଟରେ କୁହାଯାଇଛି ଯେ, ୨୦୫୦ ସୁଦ୍ଧା ଭାରତ ଓ ପାକିସ୍ତାନ ଆକାରର ଅତିରିକ୍‌ତ ୪ ନିୟୁତ ବର୍ଗ କିଲୋମିଟର ପ୍ରାକୃତିକ ଅଞ୍ଚଳରେ ମରୁଡ଼ି ମୁକାବିଲା ପାଇଁ ଅବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ହେବ । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ପୃଥିବୀର ୪୦ ପ୍ରତିଶତ ନଷ୍ଟ ହୋଇଯାଇଥିବା ବେଳେ ଏହା ମାନବଜାତି ଉପରେ ବିଶେଷ ପ୍ରଭାବ ପକାଇବ । ଗୋଟିଏ ପଟେ ମିଳିତ ଜାତିସଂଘର ରିପୋର୍ଟରେ ପାକିସ୍ତାନକୁ ମରୁଡ଼ି ପ୍ରବଣ ଦେଶ ଭାବେ ବିବେଚନା କରାଯାଉଥିବା ବେଳେ ସେପଟେ ସିନ୍ଧୁ ପ୍ରଦେଶର ଲୋକମାନେ ଅତ୍ୟାବଶ୍ୟକ ପାନୀୟଜଳ ଉଦ୍ଦେଶ୍ୟରେ ଜଳ ଅଭାବର ସମ୍ମୁଖୀନ ହେଉଛନ୍ତି ।

ପାକିସ୍ତାନୀ ଗଣମାଧ୍ୟମ ଡନ୍‌ର ରିପୋର୍ଟ ଅନୁଯାୟୀ, ଏହି କାରଣରୁ ବିପର୍ଯ୍ୟୟ ପରି ପରିସ୍ଥିତି ଉପୁଜିଛି । ତେବେ ଏହି ସଙ୍କଟର ଗୋଟିଏ କାରଣ ହେଉଛି ପଞ୍ଜାବ ଦ୍‌ୱାରା ନଦୀରୁ ଜଳ ନିଷ୍କାସନ ନହେବା । ସିନ୍ଧ୍ ଚାମ୍ୱର ଅଫ୍ ଏଗ୍ରୀକଲର୍ଚ ମଧ୍ୟ ଏହା ବିରୋଧରେ ପୂର୍ବରୁ ଦୃଷ୍ଟି ଆକର୍ଷଣ କରିଛି । ସିନ୍ଧୁର କାର୍ଯ୍ୟକର୍ତ୍ତାମାନେ ରବିବାର ଦିନ କରାଚିରେ ଥିବା ପ୍ରେସ କ୍ଲବ ବାହାରେ ପ୍ରଦର୍ଶନ କରିଥିଲେ ।

ଇଣ୍ଡସ୍ ୟୁନାଇଟେଡ୍‌ ପାର୍ଟିର ନେତା ରୋଶନ ଅଲି ବୁରିରୋ କହିଛନ୍ତି ଯେ, ବର୍ତ୍ତମାନ ପାକିସ୍ତାନ ପିପୁଲ୍ସ ପାର୍ଟି ଦେଶର ଶକ୍‌ତିରେ ଅଂଶୀଦାର ହୋଇଛି । ସେ କହିଛନ୍ତି ଯେ ସିନ୍ଧୁ ନଦୀର ଜଳ ଧାର ପଞ୍ଜାବ ପାର୍ଶ୍‌ୱରୁ ଚାଶ୍ମାଜେଲମ୍‌ ଲିଙ୍କ୍ କେନାଲ ଏବଂ ଥାଲ୍‌ କେନାଲ ଦେଇ ଯାଉଛି ।

ସୂଚନା ଥାଉକି, ପାକିସ୍ତାନରେ ଅନ୍ୟ ଦେଶ ଗୁଡ଼ିକ ତୁଳନାରେ ପ୍ରଚଣ୍ଡ ରୌଦ୍ରତାପର ସମ୍ମୁଖିନ ହେବା ସହିତ ମରୁଡ଼ିଗ୍ରସ୍ତ ପ୍ରମୁଖ ୨୩ଟି ରାଷ୍ଟ୍ର ମଧ୍ୟରେ ରହିଛି । ସିନ୍ଧୁ ପ୍ରଦେଶରେ କେତେକ ସ୍ଥାନରେ ତାପମାତ୍ରା ୫୧ ଡିଗ୍ରୀ ରହିଥିବା ଦେଖିବାକୁ ମିଳିଥିଲା । ଅତିବାଇଗଣି ରଶ୍ମୀର ପ୍ରଭାବ ହେତୁ ପଞ୍ଜାବ ପ୍ରଦେଶରେ ଲୋକମାନେ ନାନା ପ୍ରକାର ରୋଗରେ ପିଡ଼ିତ ହେଉଥିବା ଦେଖିବାକୁ ମିଳିଥିଲା । ଅନେକ ଲୋକ କିଡନୀ ଓ ଡାଇରିଆ ଭଳି ରୋଗର ସମ୍ମୁଖିନ ହେଉଛନ୍ତି ।

ମିଳିତ ଜାତିସଙ୍ଘର ରିପୋର୍ଟକୁ ନେଇ ପାକିସ୍ତାନରେ ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଛି । ଜନତାଙ୍କୁ ଏକଜୁଟ କରି ବିରୋଧୀ ମାନେ ସରକାରଙ୍କୁ ନିଶାନା କରିଛନ୍ତି । ତେବେ ପ୍ରଚଣ୍ଡ ରୌଦ୍ରତାପରେ ଜୁଝି ହେଉଥିବା ପାକିସ୍ତାନ ମରୁଡ଼ି ହେତୁ ନାନା ସମସ୍ୟାର ସମ୍ମୂଖିନ ହେଉଥିବା ବେଳେ ଏନେଇ ସରକାରଙ୍କ ପକ୍ଷରୁ କି କି ପଦକ୍ଷେପ ନିଆଯିବ, ଦେଖିବାକୁ ବାକି ରହିଲା ।