କଂଗ୍ରେସରୁ ଇସ୍ତଫା ଦେଲେ ହାର୍ଦ୍ଦିକ ପଟେଲ

ଅହମଦାବାଦ୍ (ସଂକେତ୍ ଟିଭି) : ଗୁଜୁରାଟ ପଟିଦାର ନେତା ହାର୍ଦ୍ଦିକ ପଟେଲ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ହାର୍ଦ୍ଦିକ କଂଗ୍ରେସ ଛାଡିବେ ବୋଲି କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଏଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ହାର୍ଦ୍ଦିକ ପଟେଲ ଟ୍ବିଟ୍ କରିଛନ୍ତି ଯେ,”ଆଜି ମୁଁ ସାହାସ କରି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ମୋ ସହଯୋଗୀ ଏବଂ ଗୁଜୁରାଟବାସୀ ଏହି ନିର୍ଣ୍ଣୟକୁ ସ୍ବାଗତ କରିବେ ବୋଲି ବିଶ୍ବାସ । ମୋର ଏହି ପଦକ୍ଷେପ ଦ୍ବାରା ଭବିଷ୍ୟତରେ ଗୁଜୁରାଟ ପାଇଁ ସରକାତ୍ମକ କାର୍ଯ୍ୟ କରିବାକୁ ସମର୍ଥ ହେବି ବୋଲି ବିଶ୍ବାସ ରହିଛି ।”

ଦଳରୁ ଇସ୍ତଫା ଦେଇ ହାର୍ଦ୍ଦିକ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଦେଶ ହିତ ଏବଂ ସମାଜ ହିତର ବୀପରିତ ଦିଗରେ କାମ କରୁଛି । କଂଗ୍ରେସ ପାର୍ଟିର ବିରୋଧ ରାଜନୀତି ପର୍ଯ୍ୟନ୍ତ ସୀମିତ । ରାମ ମନ୍ଦିର, ସିଏଏ-ଏନଆରସି, ଧାରା ୩୭୦, ଜିଏସଟି ଲାଗୁ କରିବାରେ କଂଗ୍ରେସ ବାଧା ସୃଷ୍ଟି କରିଛି, ଯେତେବେଳେ ଦେଶ ସଙ୍କଟରେ ଥିଲା ସେତେବେଳେ ଆମ ନେତା ବିଦେଶରେ ଥିଲେ ।

ହାର୍ଦ୍ଦିକ ପଟେଲ ଗୁଜୁରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ । ହେଲେ କିଛି ଦିନ ହେବ ସେ କଂଗ୍ରେସର ନେତୃତ୍ଵକୁ ନେଇ ଅସନ୍ତୁଷ୍ଟ ଥିଲେ । ଏନେଇ ସେ ବହୁଥର ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ଏପରିକି ଦଳରେ କୌଣସି ନିଷ୍ପତ୍ତି ନେବା ପାଇଁ ତାଙ୍କ ନିକଟରେ କ୍ଷମତା ନାହିଁ ବୋଲି କହିଥିଲେ । କଂଗ୍ରେସରୁ ଇସ୍ତଫା ଦେଇପାରନ୍ତି ବୋଲି ପୂର୍ବରୁ ଅଟକଳ କରାଯାଉଥିଲା। ଏବେ ସବୁ ଚର୍ଚ୍ଚାର ଅନ୍ତ ଘଟିଛି । ହାର୍ଦ୍ଦିକ ପଟେଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।