ବଲିଉଡରେ ଡେବ୍ୟୁ କରିବେ ଶିଖର ଧଓ୍ବନ

ମୁମ୍ବାଇ (ସଂକେତ୍ ଟିଭି) : ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧୱନ ଖୁବ୍ ଶୀଘ୍ର ବଲିଉଡରେ ନିଜ ଆକ୍ଟିଂ କ୍ୟାରିୟର ଆରମ୍ଭ କରିବା ପାଇଁ ପୁରା ପୁରି ପ୍ରସ୍ତୁତ ଅଛନ୍ତି । ସେ କୌଣସି ମେନ୍ ଷ୍ଟ୍ରିମ୍ ଫିଲ୍ମରେ କାମ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି । ଶିଖର ଧୱନ ଅଭିନୟ ଦୁନିଆରେ ମଧ୍ୟ ଦମଦାର ସ୍କୋର କରିବେ ବୋଲି ଫିଲ୍ମ ମେକର୍ସ ଆଶା ରଖିଛନ୍ତି ।

ସୂଚନା ଅନୁଯାୟୀ, ଶିଖର ନିଜ ଫିଲ୍ମ ସୁଟିଂ ଶେଷ କରିସାରିଛନ୍ତି । ହେଲେ ଶିଖର କାମ କରୁଥିବା ଫିଲ୍ମର ଟାଇଟଲ ଘୋଷଣା କରାଯାଇନାହିଁ । ରିପୋର୍ଟ ଅନୁଯାୟୀ ଯେତେବେଳେ ଶିଖରଙ୍କୁ ଏହି ଫିଲ୍ମର ଅଫର୍ ଦିଆଯାଇଥିଲା , ସେତେବେଳେ ସେ ତୁରନ୍ତ ହିଁ ଏହି ଅଫରରେ ରାଜି ହୋଇଥିଲେ । ଶିଖରଙ୍କୁ ଏହି ଫିଲ୍ମରେ ଯେଉଁ ରୋଲ୍ ମିଳିଛି ସେଥିରେ ସେ ବିଲକୁଲ ଫିଟ୍ ବୋଲି ଫିଲ୍ମ ମେକର୍ସ କହିଛନ୍ତି ।

ଶିଖରଙ୍କ ଏହି ଫିଲ୍ମ ଚଳିତ ବର୍ଷ ହିଁ ରିଲିଜ ହେବ । ନିକଟରେ ଶିଖର ଧୱନଙ୍କୁ ଅକ୍ଷୟ କୁମାରଙ୍କ ଫିଲ୍ମ ରାମ ସେତୁ ସେଟ୍ ରେ ଦେଖିବାକୁ ମିଳିଥିଲା । ଏହାପରେ ଚର୍ଚ୍ଚା ହେଉଥିଲା ଯେ ଶିଖର ଅକ୍ଷୟଙ୍କ ଫିଲ୍ମରେ ଅଭିନୟ କରୁଛନ୍ତି । ଏହି ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିବେ । ହେଲେ ଏହି ଗୁଜବ ଗୁଜବରେ ହିଁ ସୀମିତ ରହିଥିଲା ।

ଶିଖର ଆଉ ରଣବୀର ସିଂହ ମଧ୍ୟ ବହୁତ ଭଲ ସାଙ୍ଗ । ଅନେକ ଫିଲ୍ମ ସେଟରେ ମଧ୍ୟ ପୂର୍ବରୁ ଧୱନଙ୍କୁ ସ୍ପଟ୍ କରାଯାଇଛି । ତେବେ କେଉଁ ଫିଲ୍ମ ଜରିଆରେ କ୍ରିକେଟର ଶିଖର ଧୱନ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ତାହା ଜଣାପଡ଼ିନାହିଁ । ଶିଖରଙ୍କୁ ବଡ଼ ପରଦାରେ ଦେଖିବା ପାଇଁ ଫ୍ୟାନ୍ସ ମଧ୍ୟ ବେଶ ଉତ୍ସାହିତ ହୋଇଛନ୍ତି ।