ଚର୍ବି ହ୍ରାସ ଅପରେସନ୍ ପରେ କନ୍ନଡ ଅଭିନେତ୍ରୀଙ୍କ ମୃତ୍ୟୁ

ବେଙ୍ଗାଲୁରୁ (ସଂକେତ୍ ଟିଭି) : 21 ବର୍ଷ ବୟସ୍କା କନ୍ନଡ ଟେଲିଭିଜନ ଅଭିନେତ୍ରୀ ଚେତନା ରାଜଙ୍କ ଫ୍ୟାଟ୍ ହ୍ରାସ ଅପରେସନ ପରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ସୋମବାର ତାଙ୍କର ବେଙ୍ଗାଲୁରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି ।

ଚେତନା ସୋମବାର ସକାଳେ ବେଙ୍ଗାଲୁରୁ ରାଜାଜୀନଗରର ଡ ଶେଟ୍ଟି କସମେଟିକ୍ ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ସଂନ୍ଧ୍ଯା ପ୍ରାୟ 6 ଟା ବେଳେ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିଲା । ତାଙ୍କୁ ତୁରନ୍ତ ଅନ୍ଯ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଆଇସିୟୁରେ ରଖାଯାଇଥିଲା । ସନ୍ଧ୍ୟା ପ୍ରାୟ 7 ଟା ବେଳେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଚେତନାଙ୍କ ପିତା ଭାରାଡା ରାଜୁଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଅପମୃତ୍ଯୁ ମାମଲା ରୁଜୁ କରିଛି। ଚେତନାଙ୍କ ବାପା ଅଭିଯୋଗ କରିଛନ୍ତି ଯେ କସମେଟିକ ସେଣ୍ଟରର ଅବହେଳା ଯୋଗୁଁ ତାଙ୍କର ଝିଅର ମୃତ୍ଯୁ ଘଟିଛି ।

ସେପଟେ ବେଙ୍ଗାଲୁରୁ ନର୍ଥ ଡିସିପି କହିଛନ୍ତି ଯେ ଅଭିଯୋଗକୁ ଭିତ୍ତି କରି ଆମେ ସିଆରପିସି ଧାରା 174 ଅନୁଯାୟୀ ଏକ ମାମଲା ପଞ୍ଜୀକୃତ କରିଛୁ। ଡାକ୍ତରୀ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଚେତନାଙ୍କ ଜେଜେମା ନାରାୟଣମ୍ମା କହିଛନ୍ତି ଯେ ଚେତନା ସ୍ନାତକ ହାସଲ କରିବା ପରେ ପରିବାର ଲୋକ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। “କିନ୍ତୁ ସେ ମନା କରିଦେଇଥିଲେ ଯେ ସେ କନ୍ନଡ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଚାହୁଁଛନ୍ତି। ଚର୍ବି ହ୍ରାସ ଅସ୍ତ୍ରୋପଚାର କରିବାକୁ ସେ ଆମକୁ 1.5 ଲକ୍ଷ ଟଙ୍କା ମାଗିଥିଲେ। ସେ ମୋଟା ନଥିବାରୁ ଆମେ ତାକୁ ଅପରେସନ ନ କରିବାକୁ କହିଥିଲୁ। ତେବେ ସେ କାହା କଥା ନ ମାନି ଅପରେସନ କରିଥିଲା ବୋଲି ନାରାୟଣମ୍ମା କହିଛନ୍ତି ।