ପ୍ରେମିକାକୁ କୋର୍ଟ ବିବାହ ପାଇଁ ବିଜେଡ଼ି ବିଧାୟକଙ୍କ ଆବେଦନ, ବିଧାୟକଙ୍କ ମା ଆଇସିୟୁରେ ଭର୍ତ୍ତି

ଜଗତସିଂହପୁର (ସଂକେତ୍ ଟିଭି) : ଦୀର୍ଘ ଦିନର ହଁ ନା ପରେ ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ଓ ତାଙ୍କ ପ୍ରେମିକା ବିବାହ କରିବାକୁ ସ୍ଥିର କରି ସବରେଜିଷ୍ଟ୍ରାର ଅଫିସରେ ବିଧିବଦ୍ଧ ଆବେଦନ କରିଛନ୍ତି । ସେପଟେ ଏହି ବିବାହରେ ଅସନ୍ତୁଷ୍ଟ ଥିବା ବିଜୟଙ୍କ ମା ଅତ୍ଯଧିକ ମେଡିସିନ ଖାଇ ଆଇସିୟୁରେ ଭର୍ତ୍ତି ହୋଇଥିବା କୁହାଯାଉଛି ।

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରେମ ସମ୍ପର୍କକୁ ନେଇ ବହୁ ବିବାଦ ଉପୁଜି ଥିବାବେଳେ ଗତକାଲି ଉଭୟ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ସୋମାଲିକା ଦାଶ ଜଗତସିଂହପୁର ସବ ରେଜିଷ୍ଟରଙ୍କ ଅଫିସରେ ପହଞ୍ଚି ରେଜେଷ୍ଟ୍ରି ମ୍ୟାରେଜ ପାଇଁ ଆବେଦନ କରିଛନ୍ତି ।

ଦିବଙ୍ଗତ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ ତଥା ତିର୍ତ୍ତୋଲର ଯୁବ ବିଜେଡ଼ି ବିଧାୟକ ବିଜୟ ଶଙ୍କର ଦାସ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଦେଉଳିଗ୍ରାମେଶ୍ୱର ଅଞ୍ଚଳର ସଂଗ୍ରାମ କେଶରୀ ଦାଶଙ୍କ ଝିଅ ସୋମାଲିକା ଦାଶଙ୍କୁ ଦୀର୍ଘ ୫ ବର୍ଷ ହେବ ଭଲ ପାଇ ଆସୁଥିଲେ ।

କିନ୍ତୁ ବିବାହ ପାଇଁ ସୋମାଲିକା ଚାପ ପକାଇବା ପରେ ଗତବର୍ଷ ନଭେମ୍ବର ପରଠୁ ତାଙ୍କ ସହ ସମସ୍ତ ପ୍ରକାରର ସମ୍ପର୍କ ଛିନ୍ନ କରି ଦେଇଥିଲେ ବିଧାୟକ ଶ୍ରୀ ଦାସ। ତାଙ୍କର ଏଭଳି ପରିବର୍ତ୍ତନ ପରେ ସୋମାଲିକା ସୋଶାଲ୍ ମିଡିଆରେ ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତରେ ଫଟୋ ଛାଡ଼ି ଚର୍ଚ୍ଚାକୁ ଆସିଥିଲେ। ଏହାକୁ ନେଇ ବିବାଦ ବଢିବାରୁ ବିଜୟ ଶଙ୍କରଙ୍କ ନାମରେ ସୋମାଳିକା ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂଙ୍କୁ ଲିଖିତ ଅଭିଯୋଗ କରିଥିଲେ ।

ଗତକାଲି ଏହି ଘଟଣାକୁ ନେଇ ଉଭୟ ପକ୍ଷ ତଥା ବିଜୟ ଶଙ୍କର ଓ ସୋମାଲିକା ସେମାନଙ୍କର ଓକିଲଙ୍କ ସହଯୋଗରେ ଜଗତସିଂହପୁର ସବ ରେଜିଷ୍ଟର ଅଫିସରେ ପହଞ୍ଚି ବିବାହ ପାଇଁ ଆବେଦନ କରିଥିବା କହିଛନ୍ତି । ବିଜୟ ଶଙ୍କରଙ୍କ ମାଆଙ୍କ ଦେହ ଭଲ ନଥିବାରୁ ସେ କିଛି କହିବାକୁ ମନା କରିଥିବା ବେଳେ ବିବାହ ଆବେଦନକୁ ନେଇ ସୋମାଲିକା ଖୁସି ଥିବା ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି ।

ସୋମାଲିକାଙ୍କ ସହ ପୁଅର ବିବାହ ନେଇ ରାଜି ନ ଥିବା ବିଧାୟକ ବିଜୟ ଶଙ୍କର ଦାସଙ୍କ ମା’ଙ୍କ ହଠାତ୍‌ ଅସୁସ୍ଥତାକୁ ନେଇ ନାନା ଚର୍ଚ୍ଚା ହେଉଛି। ଏପରିକି ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଚର୍ଚ୍ଚା ଜୋର ଧରିଛି। ମାତ୍ର ଏହି ସବୁ କଥାକୁ ଖଣ୍ଡନ କରିଛନ୍ତି ବିଧାୟକ ବିଜୟ ଶଙ୍କର।

ସେ କହିଛନ୍ତି, ମା ସୋମବାର ସନ୍ଧ୍ୟାରେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ଘରେ ଏକାଧିକ ମେଡିସିନ ଖୋଳ ପଡ଼ିଥିବା ଦେଖି ସେ ଅତ୍ୟଧିକ ଡୋଜ ଖାଇ ଦେଇଥିବା ପରିବାର ଲୋକ ସନ୍ଦେହ କଲେ। ଏହାପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଛି। ମା ଭଲ ହେବା ପରେ ହିଁ ମେଡିସିନ ଖାଇବା ପଛର କାରଣ କହିପାରିବେ ବୋଲି ବିଜୟ କହିଛନ୍ତି ।