ଯୁଦ୍ଧ କ୍ଷେତ୍ରରୁ ପଛଘୁ୍‌ଞ୍ଚା ଦେଉଛନ୍ତି ରୁଷ୍ ସେନା, ୟୁକ୍ରେନ ସୈନିକ କହିଲେ ‘ମିଷ୍ଟର ପ୍ରେସିଡେଣ୍ଟ, ୱି ମେଡ୍ ଇଟ୍‌’

କିଭ୍ (ସଂକେତ୍ ଟିଭି) : ୟୁକ୍ରେନ୍ ଓ ରୁଷ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ୮୦ଦିନରୁ ଊର୍ଦ୍ଧ୍ୱ ବତିସାରିଲାଣି । ୟୁକ୍ରେନ୍ ସେନାର ଆଟାକିଂ ମୁଡ୍‌କୁ ଦେଖି ରୁଷ୍ ସେନା ପଛକୁ ହଟିବା ଆରମ୍ଭ କରିଛି । ଏହାରି ମଧ୍ୟରେ ୟୁକ୍ରେନ୍ ସୈନିକଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ଏହି ଭିଡିଓରେ ସେମାନେ ରୁଷ୍ ସୀମାରେ ଛିଡ଼ା ହୋଇ ତାଙ୍କ ପ୍ରେସିଡେଣ୍ଟଙ୍କ ଉଦ୍ଦେଶ୍ୟରେ କହିଛନ୍ତି କି ଆମେ ଏଠାରେ ପହଂଚିସାରିଛୁ । ୟୁକ୍ରେନ୍‌ବାସୀଙ୍କୁ ଏହି ଭିଡିଓ ବେଶ୍‌
ପସନ୍ଦ ଆସିଛି ।

ଅଷ୍ଟିଆରେ ୟୁକ୍ରେନ୍‌ର ପୂର୍ବତନ ରାଷ୍ଟ୍ରଦୂତ ଆଲେକ୍‌ଜାଣ୍ଡାର ଶେରବା ଏହି ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ୟୁକ୍ରେନ୍‌ ସୈନିକମାନେ ରୁଷ୍‌-ୟୁକ୍ରେନ୍ ସୀମାରେ ପହଂଚି ଖୁବ୍ ଉତ୍ସାହିତ ଥିବା ଜଣାପଡ଼ୁଛନ୍ତି । ଏହି ଭିଡିଓ ସେୟାର କରି ଶେରବା କ୍ୟାପସନ୍‌ରେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲନସ୍କିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି କି ‘ମିଷ୍ଟର ପ୍ରେସିଡେଣ୍ଟ ଆମେ ଶତ୍ରୁପକ୍ଷର ରାଜ୍ୟ ସୀମାରେ ପହଂଚିଯାଇଛୁ । ମିଷ୍ଟର ପ୍ରେସିଡେଣ୍ଟ, ୱି
ମେଡ୍ ଇଟ୍ । ୟୁକ୍ରେନ୍‌ର ଜୟ ହୋ! ଯବାନଙ୍କ ଜୟ ହୋ’ ।

ଏହାପୂର୍ବରୁ ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ଏକ ସୋସିଆଲ୍‌ ମିଡିଆ ପୋଷ୍ଟ ଜରିଆରେ କହିଥିଲା ଯେ ୟୁକ୍ରେନ୍‌ର ଟେରିଟୋରିଆଲ ଡିଫେନ୍ସ ଫୋର୍ସର ୧୨୭ତମ ବ୍ରିଗେଡର ୨୨୭ ବାଟାଲିୟନ୍ ରୁଷ୍ ସୀମାରେ ପହଂଚି ସାରିଛି । ୟୁନାଇଟେଡ୍‌ କିଙ୍ଗଡମ୍‌ର ପ୍ରତିରକ୍ଷା ମନ୍ତ୍ରାଳୟ ୟୁକ୍ରେନ୍ ସ୍ଥିତିକୁ ନେଇ ଏକ ଅପଡେଟ୍‌ ଜାରି କରି କହିଛନ୍ତି କି ଫେବୃୟାରୀ ପରେ ରୁଷ୍ ସେନା ବିପୁଳ କ୍ଷତି ହୋଇଛି । ଏବେ ସେମାନେ ଯୁଦ୍ଧ କ୍ଷେତ୍ରରୁ ପଛଘୁଞ୍ଚା ଦେବା ଆରମ୍ଭ କଲେଣି ଓ ଆଗାମୀ ୩୦ଦିନ ମଧ୍ୟରେ ସ୍ଥିତି ବଦଳିବାର ସମ୍ଭାବନା ରହିଛି ।