ନୂଆ ମଦ୍ରାସାକୁ ଆଉ ମିଳିବ ନାହିଁ ସରକାରୀ ଅନୁଦାନ
ଲକ୍ଷ୍ମୌ (ସଂକେତ୍ ଟିଭି) : ଉତ୍ତରପ୍ରଦେଶରେ ନୂଆ ମଦ୍ରାସା ଗୁଡ଼ିକୁ ଆଉ ସରକାରୀ ଅନୁଦାନ ମିଳିବ ନାହିଁ । ଏ ସମ୍ପର୍କରେ କ୍ୟାବିନେଟରେ ଆଗତ ଏକ ପ୍ରସ୍ତାବକୁ ଉତ୍ତରପ୍ରଦେଶ ସରକାର ଗ୍ରହଣ କରିଛନ୍ତି। ଏବେଠାରୁ ନୂଆ ମଦ୍ରାସା ସବୁ କୌଣସି ଅନୁଦାନ ପାଇବେ ନାହିଁ ।
ସୂଚନା ଅନୁସାରେ, ଗତ ବଜେଟରେ ଉତ୍ତର ପ୍ରଦେଶ ସରକାର ୧୬୦୦୦ ମଦ୍ରାସାରୁ ସମୁଦାୟ ୫୫୮ଟିକୁ ଅନୁଦାନ ମଞ୍ଜୁର କରିଥିଲେ। ମଦ୍ରାସା ଆଧୁନିକିକରଣ ଯୋଜନାରେ ୪୭୯ କୋଟି ଟଙ୍କା ମଞ୍ଜୁର ହୋଇଥିଲା।
ଏହା ପୂର୍ବରୁ ଉତ୍ତରପ୍ରଦେଶ ସରକାର କ୍ଲାସ ଆରମ୍ଭ ପୂର୍ବରୁ ରାଜ୍ୟରେ ଥିବା ସମସ୍ତ ମଦ୍ରାସା ଛାତ୍ର ଓ ଶିକ୍ଷକମାନଙ୍କ ପାଇଁ ଜାତୀୟ ସଙ୍ଗୀତ ଗାନକୁ ବାଧ୍ୟତା ମୂଳକ କରିଛନ୍ତି । ଏହାର ସପ୍ତାହକ ମଧ୍ୟରେ ନୂଆ ମଦ୍ରାସା ଗୁଡ଼ିକୁ ଅନୁଦାନ ବନ୍ଦ କରିବା ନିଷ୍ପତ୍ତି ଘୋଷଣା କରାଯାଇଛି। ଜାତୀୟ ସଙ୍ଗୀତ ଗାନ ଆଦେଶ ମେ ୧୨ ତାରିଖ ଦିନ ଲାଗୁ କରାଯାଇଥିଲା।