ଉମ୍ରାନ ମଲିକ ଜଣେ ପ୍ରଖ୍ୟାତ ବୋଲର ହେବେ: ଚାମିଣ୍ଡା ଭାସ୍‌

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଚଳିତ ବର୍ଷର ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବା ଜମ୍ମୁ କାଶ୍ମୀର ଯୁବ ପେସ୍ ବୋଲର ଉମ୍ରାନ ମଲିକ ନିଜର ପ୍ରଭାବୀ ବୋଲର ଦ୍ୱାରା ସମସ୍ତଙ୍କୁ ବିମୋହିତ କରି ପାରିଛନ୍ତି । ଏପରିକି ବିସିସିଆଇ ଚୟନକର୍ତ୍ତାମାନେ ମଧ୍ୟ ତାଙ୍କ ବୋଲିଂକୁ ପ୍ରଶଂସା କରିବା ସହିତ ଭାରତୀୟ ସିନିୟର ଦଳରେ ସାମିଲ କରିବା ପାଇଁ ମନସ୍ଥ କରିଛନ୍ତି ।

ତେଣୁ ଆସନ୍ତା ଜୁନ ମାସରେ ଅନୁଷ୍ଠିତ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ସେ ଭାରତୀୟ ଦଳ ପକ୍ଷରୁ ଖେଳିବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି । ଏହି ସିରିଜରେ ସଫଳ ହେଲେ ଆସନ୍ତା ଅକ୍ଟୋବର ମାସରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ଖେଳିବା ରାସ୍ତା ପରିଷ୍କାର ହୋଇ ଯିବ ।

ତେବେ ଉମ୍ରାନଙ୍କ ଶାଣିତ ବୋଲିଂ ଶ୍ରୀଲଙ୍କାର ପୂର୍ବତନ ପେସ୍ ବୋଲର ଚାମିଣ୍ଡା ଭାସଙ୍କୁ ବିଶେଷ ପ୍ରଭାବିତ କରିଛି । ଏଠାରେ କୋଚ ଚାୱଲା ସିଂଙ୍କ ଦ୍ୱାରା ପରିଚାଳିତ ମୁମ୍ବାଇ କ୍ରିକେଟ କ୍ଳବରେ ଜୁନିୟର କ୍ରିକେଟରଙ୍କୁ ତାଲିମ ଦେବା ପାଇଁ ଆସିଥିବା ଚାମିଣ୍ଡା ଭାସ୍ କହିଛନ୍ତି ଯେ ଉମ୍ରନ ଜଶେ ବିଚକ୍ଷଣ ବୋଲର । ଚଳିତ ଆଇପିଏଲ୍ ରେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସେ ନିଜର ବୋଲିଂ ଲୟକୁ ଗୋଟିଏ ଧାରାରେ ବଜାୟ ରଖି ପାରିଛନ୍ତି । ଦିନକୁ ଦିନ ତାଙ୍କ
ବୋଲିଂରେ ଯଥେଷ୍ଟ ଉନ୍ନତି ହେଉଛି ।

ଆଗାମୀ ଦିନରେ ସେ ଭାରତୀୟ କ୍ରିକେଟ ପାଇଁ ମହତ ସେବା କରି ପାରିବେ । କାରଣ ତାଙ୍କର ବୋଲିଂରେ ଉଭୟ ପେସ୍ ଓ ଆକ୍ୟୁରାସି ରହିଛି । ମୁଖ୍ୟତଃ ଟି-୨୦ କ୍ରିକେଟରେ ଜଣେ ପେସ୍ ବୋଲରଙ୍କ ନିକଟରେ ଏହି ଦୁଇଟି ଗୁଣ ରହିବା ଉଚିତ । ଭାରତୀୟ ଦଳର ଅନ୍ୟତମ ପେସ୍ ବୋଲର ଯଶପ୍ରୀତ ବୁମରାଙ୍କ ସହିତ ସେ ବୋଲିଂ ଆକ୍ରମଣ ଜାରି ରଖି ପାରିଲେ ଭାରତୀୟ ଦଳ ପାଇଁ ଏହା ବିଶେଷ ସହାୟକ ହୋଇ ପାରିବ ।

ସବୁଠାରୁ ଖୁସିର ବିଷୟ ହେଲା ଯେ ଚଳିତ ଆଇପିଏଲରେ ଉମ୍ରନଙ୍କ ସହିତ ଆର୍ଶଦୀପ ସିଂ, ଅଭେସ ଖାନ୍‌, ମୁକେଶ ଚୌଧୁରୀ ଓ ମୋହସିନ ଖାନ ପ୍ରମୁଖ ପେସ୍ ବୋଲରଙ୍କ ପ୍ରଦର୍ଶନ ଅତି ପ୍ରଶଂସନୀୟ । ଉମ୍ରାନ ମଲିକ ଚଳିତ ଆଇପିଏଲରେ ଚତୁର୍ଥ ସର୍ବାଧିକ ୱିକେଟ ହାସଲକାରୀ ଭାବେ ୨୧ ୱିକେଟ ଅକ୍ତିଆର କରି ନିଜ ଦକ୍ଷତାର ପରିଚୟ ଦେଇ ପାରିଛନ୍ତି ।

ଆଇପିଏଲ ଯୁବ ବୋଲରଙ୍କ ପାଇଁ ବଡ ସୁଯୋଗ ସୃଷ୍ଟି କରି ପାରୁଛି । ଭାରତରେ ପ୍ରଥମ ଶ୍ରେଣୀ କ୍ରିକେଟ ଢ଼ାଞ୍ଚା ଅତି ଉଚ୍ଚକୋଟୀର । ତେଣୁ ଏକାଧିକ ପେସ୍‌ ବୋଲର ସୃଷ୍ଟି ହୋଇ ପାରୁଛନ୍ତି ବୋଲି ଭାସ କହିଛନ୍ତି । ସୂଚନା ଯୋଗ୍ୟ ଯେ ଭାସ ଶ୍ରୀଲଙ୍କା ପାଇଁ ୧୧୧ ଟେଷ୍ଟ ଖେଳି ୩୫୫ ୱିକେଟ ଓ ୩୨୨ ଦିନିକିଆ ଖେଳି ୪୦୦ ୱିକେଟ ଅକ୍ତିଆର କରିଛନ୍ତି ।