ଭାରତର ସ୍ଥିତି ଶ୍ରୀଲଙ୍କା ପରି ଜଣାପଡୁଛି : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଶ୍ରୀଲଙ୍କା ସଙ୍କଟ ସହ ଭାରତର ସଙ୍କଟକୁ ରାହୁଲ ଗାନ୍ଧି ତୁଳନା କରିଛନ୍ତି । ଭାରତର ଅର୍ଥନୀତିକୁ ସମାଲୋଚନା କରି ରାହୁଲ ଏକ ଗ୍ରାଫ୍‌ ଦେଇଛନ୍ତି । ଏଥିରେ ଭାରତ ଓ ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ବେକାରୀ, ତୈଳ ଦର ଓ ସାମ୍ପ୍ରଦାୟିକ ହିଂସା ଘଟଣାର ତୁଳନା କରାଯାଇଛି । ଏହି ୩ ପ୍ରସଙ୍ଗରେ ଉଭୟ ଦେଶର ସ୍ଥିତି ପ୍ରାୟ ସମାନ ରହିଛି । ତେଣୁ ଶ୍ରୀଲଙ୍କା ଭଳି ଆର୍ଥିକ ସଙ୍କଟ ଭାରତରେ ସୃଷ୍ଟି ହୋଇପାରେ ବୋଲି ରାହୁଲ ପରୋକ୍ଷରେ ସୂଚନା ଦେଇଛନ୍ତି ।

ରାହୁଲ ପୋଷ୍ଟ କରିଥିବା ୬ଟି ଗ୍ରାଫ୍‌ରେ ଭାରତ ଓ ଶ୍ରୀଲଙ୍କାର ସ୍ଥିତି ଦର୍ଶାଇଛନ୍ତି । ଏଥିରେ ଉଲ୍ଲେଖ କରାଯାଇଛି ଯେ ୨୦୧୭ରେ ଉଭୟ ଦେଶରେ ବେକାରୀ ବଢ଼ିଥିଲା । ୨୦୨୦ରେ ଭାରତରେ କରୋନା ଯୋଗୁ ଲକ୍‌ଡାଉନ୍‌ ହୋଇଥିଲା । ଗତବର୍ଷ ମଧ୍ୟ ଏଥିରେ ସାମାନ୍ୟ ଉନ୍ନତି ଆସିଥିଲା । ଦ୍ୱିତୀୟ ଗ୍ରାଫ୍‌ରେ ପେଟ୍ରୋଲର ମୂଲ୍ୟ ଭାରତ ଓ ଶ୍ରୀଲଙ୍କା ସହ ତୁଳନା କରାଯାଇଛି । ୨୦୧୭ରେ ପେଟ୍ରୋଲର ମୂଲ୍ୟ ଭାରତରେ ବୃଦ୍ଧି ପାଇବା ଆରମ୍ଭ କରିଥିଲା ଓ ୨୦୨୧ରେ ଏହା ସର୍ବୋଚ୍ଚ ସୀମାରେ ପହଞ୍ଚିଥିଲା । ତୃତୀୟ ଗ୍ରାଫ୍‌ରେ ସାମ୍ପ୍ରଦାୟିକ ହିଂସା ୨୦୨୦-୨୧ରେ କିଭଳି ଉଭୟ ଦେଶରେ ବୃଦ୍ଧି ପାଇଛି ତାହା ଦର୍ଶାଯାଇଥିଲା ।

ଏହି ତଥ୍ୟ ଲୋକସଭାର ଅଣତାରକା ପ୍ରଶ୍ନ, ସିଏମ୍‌ଆଇଇ ତଥ୍ୟ, ପେଟ୍ରୋଲିୟମ୍‌ ପ୍ଲାନିଂ ଆଣ୍ଡ ଆନାଲିସିସ୍‌ ସେଲ ଓ ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ତଥ୍ୟ ଆଧାରରେ ଉପସ୍ଥାପନ କରାଯାଇଛି । ରାହୁଲ ଗାନ୍ଧି ଓ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ତୈଳ ମୂଲ୍ୟ, ମୂଦ୍ରାସ୍ପିତି, କେବାରୀ ବୃଦ୍ଧିକୁ ନେଇ ଟାର୍ଗେଟ୍‌ କରିଆସୁଛନ୍ତି । ପୂର୍ବରୁ ମଧ୍ୟ ଭାରତ ଶ୍ରୀଲଙ୍କା ଭଳି ସ୍ଥିତିରେ ପଡିବାକୁ ଯାଉଛି ବୋଲି କୁହାଯାଉଥିଲା ।

ଶ୍ରୀଲଙ୍କା ଏବେ ଗୁରୁତ୍ୱର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ବୈଦେଶିକ ମୂଦ୍ରାର ଘୋର ସଙ୍କଟ ଦେଖାଦେଇଛି । ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳିପାରୁନାହିଁ । ରାସ୍ତାରେ ଲୋକମାନେ ବିକ୍ଷୋଭ କରୁଛନ୍ତି । ଖାଦ୍ୟ ଓ ବିଦୁ୍ୟତ୍‌ ସଙ୍କଟ ଲୋକଙ୍କ ଜୀବନଯାତ୍ରାକୁ ବ୍ୟତିବ୍ୟସ୍ତ କରିଦେଇଛି । ସରକାର ଓ ସରକାରୀ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଚାଲିଛି । ୯ ପୋଲିସ ମୃତ୍ଯୁବରଣ କରିଥିବାବେଳେ ଗତ ସପ୍ତାହରେ ୩୦୦ ଉର୍ଧ୍ବ ସାଧାରଣ ନାଗରିକ ଆହତ ହୋଇଛନ୍ତି ।