୩୪ ଫ୍ରାନ୍ସ ରାଷ୍ଟ୍ରଦୂତ ଋଷରୁ ବହିଷ୍କୃତ

ମସ୍କୋ (ସଂକେତ୍ ଟିଭି) : ଋଷ ଓ ୟୁକ୍ରେନ ଯୁଦ୍ଧକୁ ତିନିମାସ ବିତିବାକୁ ଯାଉଛି । ତେବେ ଯୁଦ୍ଧ ବିରତି ହେବାର ସମ୍ଭାବନା ବର୍ତ୍ତମାନ ନାହିଁ । ଏପଟେ ୟୁକ୍ରେନ ସ୍ଥିତିକୁ ନେଇ ଋଷ ଏବଂ ପଶ୍ଚିମ ଦେଶ ମଧ୍ୟରେ ମତଭେଦ ବଢିବାରେ ଲାଗିଛି । ଗୋଟିଏ ପଟେ ୟୁରୋପ ଦେଶ ସମୂହ ଋଷ ଉପରେ କଡା ଆର୍ଥିକ ପ୍ରତିବନ୍ଧକ ଲଗାଇଥିବା ବେଳେ ଋଷ ମଧ୍ୟ ରାଷ୍ଟ୍ରଦୂତଙ୍କୁ ବାହାର କରିଚାଲିଛି । ପ୍ରତିଶୋଧ ନେବାକୁ ଯାଇ ଋଷ ଏଭଳି କରିଚାଲିଛି ।

ଋଷ ଫ୍ରାନ୍ସର ୩୪ ରାଷ୍ଟ୍ରଦୂତଙ୍କୁ ବୁଧବାର ଦେଶରୁ ନିଷ୍କାସିତ କରିଛି । ଋଷ ବୈଦେଶିକ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଫ୍ରାନ୍ସ ଗତମାସରେ ନିଜ ଦେଶରୁ ରାଷ୍ଟ୍ରଦୂତଙ୍କୁ ନିଷ୍କାସିତ କରିଥିଲା । ସେତେବେଳେ ଫ୍ରାନ୍ସର ଅଧିକାରୀ କହିଥିଲେ ଋଷର ରାଷ୍ଟ୍ରଦୂତଙ୍କୁ ଦେଶରେ ରଖିବା ଆମ ଦେଶର ସୁରକ୍ଷା ପ୍ରତି ବଡ ବିପଦ ।

ଗୋଟିଏ ଦିନ ପୂର୍ବରୁ ଋଷ ଫିନଲାଣ୍ଡର ଦୁଇ ରାଷ୍ଟ୍ରଦୂତଙ୍କୁ ନିଷ୍କାସିତ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଫିନଲାଣ୍ଡ ନାଟୋରେ ସାମିଲ ହେବା ଘୋଷଣା କରିବା ସହ ଏହାର ସଂସଦ ମଧ୍ୟ ଅନୁମୋଦନ ଦେଇସାରିଛି । ଋଷ ଫିନଲାଣ୍ଡ ଓ ସ୍ୱିଡେନକୁ ନାଟୋରେ ସାମିଲ ନହେବାକୁ ଧମକ ଦେଇସାରିଛି । ତେବେ ଫିନାଲଣ୍ଡ ରାଷ୍ଟ୍ରଦୂତଙ୍କୁ ଋଷରୁ ବାହାର କରିବା ପ୍ରତିଶୋଧ ପରାୟଣ ହୋଇ କରିଛି । ଗତମାସରେ ଫିନଲାଣ୍ଡ ଋଷର ୨ ରାଷ୍ଟ୍ରଦୂତଙ୍କୁ ନିଜ ଦେଶରୁ ବିତାଡିତ କରିଥିଲା ।