ଟମାଟୋ ଫ୍ଲୁ ନୁହେଁ, ଏଚ୍‌ଏଫଏମ୍‌ଡି ଭାଇରସ

ଭୁବନେଶ୍ବର (ସଂକେତ୍ ଟିଭି) : ଦେଶରେ ଏବେ କିଛି ଜାଗାରେ ଟମାଟୋ ଫ୍ଲୁ ଆତଙ୍କ ସୃଷ୍ଟି କରିଛି। ହେଲେ ଟମାଟୋ ଫ୍ଲୁ କୌଣସି ସ୍ଥାନରେ ଚିହ୍ନଟ ହୋଇନି । ଏହା ହେଉଛି ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜ(ଏଚ୍‌ଏଫ୍‌ଏମ୍‌ଡି) ଭାଇରସ । ଅର୍ଥାତ ଏହି ରୋଗର ଲକ୍ଷଣ ହାତ, ପାଦ ଏବଂ ପାଟିରେ ଲାଲ ରଙ୍ଗର ଫଳିଯିବ । ତେଣୁ ଛୋଟ ପିଲାଙ୍କ ଠାରେ ଏହି ରୋଗର ଲକ୍ଷଣ ଦେଖାଗଲେ କୌଣସି ଆତଙ୍କିତ ହୁଅନ୍ତୁ ନାହିଁ ବୋଲି ଆରଏମ୍‌ଆରସି ନିର୍ଦ୍ଦେଶକ ଡା. ସଂଘମିତ୍ରା ପତି କହିଛନ୍ତି ।

ଡା. ଶ୍ରୀମତୀ ପତି କହିଛନ୍ତି, ଓଡ଼ିଶାରେ ଏପର୍ଯ୍ୟନ୍ତ ଟମାଟୋ ଫ୍ଲୁ ରୋଗୀ ଚିହ୍ନଟ ହୋଇନାହାନ୍ତି । ଯେଉଁ ଛୋଟ ପିଲାଙ୍କ ଦେହରେ ଟମାଟୋ ଫ୍ଲୁ ଭଳି ଲକ୍ଷଣ ଦେଖାଦେଉଛି, ତାହା ହେଲା ଏଚ୍‌ଏଫ୍‌ଏମ୍‌ଡି । ଏହା ସାଧାରଣତଃ ଭାଇରାଲ ରୋଗ । ସବୁ ସମୟରେ ପିଲାଙ୍କ ଠାରେ ଦେଖାଦେଇଥାଏ ।

ଏଚ୍‌ଏଫ୍‌ଏମ୍‌ଡି ଲକ୍ଷଣ ହେଉଛି ହାତ, ପାଦ ଓ ପାଟିରେ ଲାଲ ଲାଲ ଦାଗ ପଡ଼ିଯିବା । ହେଲେ ଏହା ବିଶେଷଭାବେ କ୍ଷତିକାରକ ନୁହେଁ । ଏହି ଲକ୍ଷଣ ଦେଖାଯିବାର ୫ଦିନ ଭିତରେ ଆପେ ଆପେ ଭଲ ହୋଇଯାଏ । ଯଦି କୌଣସି ପିଲାଙ୍କ ଠାରେ ଏଭଳି ଲକ୍ଷଣ ଦେଖାଯାଏ, ତାହେଲେ ସମସ୍ତ ଶିଶୁରୋଗ ବିଶେଷଜ୍ଞମାନେ ତରୁନ୍ତ ଜଣାଇବାକୁ କୁହାଯାଇଛି । ଏହି ରୋଗକୁ ନେଇ କେହି ଆତଙ୍କିତ ନହେବାକୁ କହିଛନ୍ତି ଡାକ୍ତର ପତି ।

ଅନ୍ୟପକ୍ଷରେ ଟମାଟୋ ଫ୍ଲୁ ରୋଗ ସମ୍ପର୍କରେ ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଏହା ଏକ ଭାଇରାଲ ରୋଗ । ଏହାର ଲକ୍ଷଣ ହେଉଛି ପିଲା ଖାଇବ ନାହିଁ, ବାନ୍ତି ହେବ, ଦେହ ଯାକ ଫଳିଯିବା ସହିତ ନାଲି ପଡ଼ିଯିବା ଏବଂ ଜ୍ୱର ହେବ । ରାଜ୍ୟରେ ଏଭଳି କେତେ କେସ୍‌ ଅଛି ଜାଣିବା ପାଇଁ ମେଡିକାଲ କଲେଜ ଗୁଡିକୁ ରିପୋର୍ଟ ମାଗିଥିଲୁ । ଆରଏମ୍‌ଆରସି ଏହି ଭାଇରଲ ଭାଇରସର ଚିହ୍ନଟ କରିବେ । ନମୁନା ସଂଗ୍ରହ କରାଯାଇ ପଠାଯିବ ।

ଏହା ହ୍ୟାଣ୍ଡ ଫୁଟ ମାଉଥ ରୋଗ ବୋଲି ସନ୍ଦେହ କରାଯାଉଛି । ଏହି ସନ୍ଦେହକୁ ଦୂର କରିବା ପାଇଁ ନମୁନା ସଂଗ୍ରହ କରି ଆରଏମଆରସିକୁ ପଠାଯିବ । ଜିଲ୍ଲା ଓ ଶିଶୁ ରୋଗ ବିଶେଷଜ୍ଞମାନଙ୍କ ସହ ଏନେଇ ସ୍ୱାସ୍ଥ୍ୟ ବିଭାଗର ଆଲୋଚନା ଜାରି ରହିଛି । ଜିଲ୍ଲା ଚିକିତ୍ସାଳୟଗୁଡ଼ିକୁ ଆକ୍ରାନ୍ତ ଶିଶୁଙ୍କ ନମୁନା ସଂଗ୍ରହ କରି ପଠାଇବାକୁ ନିର୍ଦେଶ ଦିଆଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ମିଶ୍ର କହିଛନ୍ତି ।