‘ଜାମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଅଂଶ ଥିଲା, ଅଛି ଓ ରହିବ’

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଜାମ୍ମୁ-କାଶ୍ମୀରକୁ ନେଇ ପାକିସ୍ତାନ ଦେଇଥିବା ମନ୍ତବ୍ୟ ଉପରେ ଭାରତ ଦୃଢ଼ ଜବାବ ଦେଇଛି । ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାବଲ ଭୁଟ୍ଟୋ ଜର୍ଦ୍ଦାରୀ ଜାମ୍ମୁ-କାଶ୍ମୀରକୁ ନେଇ ଦେଇଥିବା ଆପତ୍ତିଜନକ ମନ୍ତବ୍ୟକୁ ଭୁଲ୍ ବୋଲି ଦର୍ଶାଇଛନ୍ତି ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ମିଶନ କାଉନ୍‌ସିଲର ରାଜେଶ ପାରିହର ।

ସେ କହିଛନ୍ତି କି ଜାମ୍ମୁ-କାଶ୍ମୀର ଓ ଲଦାଖ ଭାରତର ଅଭିନ୍ନ ଅଂଶ ଥିଲା, ଅଛି ଓ ରହିବ । ଏଥିସହ ଭାରତର ଏଭଳି ଆହୁରି ଅଞ୍ଚଳ ରହିଛି ଯାହାକି ଏବେ ପାକିସ୍ତାନ କବ୍‌ଜାରେ ରହିଛି । ଏହାକୁ କୌଣସି ଦେଶ ଅସ୍ୱୀକାର କରିବ ନାହିଁ । ଯଦି ପାକିସ୍ତାନ ଆମକୁ ପ୍ରକୃତରେ ସହାୟତା କରିବାକୁ ଚାହୁଁଛି ତେବେ ପ୍ରଥମେ ପାକ୍ ଦ୍ୱାରା ପ୍ରାୟୋଜିତ ଆତଙ୍କବାଦକୁ ବନ୍ଦ କରିବା ଉଚିତ୍ । ଅନ୍ୟଥା ଜର୍ଦ୍ଦାର କହୁଥିବା କୌଣସି କଥା ଆମ ପାଇଁ ମହତ୍ତ୍ୱ ରଖେନାହିଁ ।

ସୂଚନାଥାଉକି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଜର୍ଦ୍ଦାରୀ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ହୋଇଥିବା ବିତର୍କରେ ଭାଗ ନେଇ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦କୁ ନିରସ୍ତ୍ର କରିବା ନେଇ ଆପତ୍ତି ଉଠାଇଥିଲେ । କାଶ୍ମୀରବାସୀଙ୍କ ଉପରେ ଭାରତ ଅତ୍ୟାଚାର କରୁଛି ବୋଲି ସେ ଅଭିଯୋଗ କରିଥିଲେ । ଏହାପରେ ଗୁରୁବାର ନ୍ୟୁୟର୍କ ପ୍ରେସ୍‌ କନ୍‌ଫରେନ୍ସରେ ବି ସେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ କି କାଶ୍ମୀରରେ ଭାରତ ପକ୍ଷରୁ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ପ୍ରସ୍ତାବ ଓ ଜେନେଭା କନ୍‌ଭେନସନକୁ ସିଧାସଳଖ ଆକ୍ରମଣ ସହ ସମାନ । ଭାରତ ସହ ପାକିସ୍ତାନର ସଂପର୍କ ପୂର୍ବାପେକ୍ଷା ଆହୁରି ଅଧିକ ଖରାପ ହୋଇଯାଇଛି ।

ଭାରତର ଏଭଳି କାର୍ଯ୍ୟାନୁଷ୍ଠାନ ଯୋଗୁଁ ଆମେ ଭାରତ ସହ ଆଲୋଚନା କରିବା ଏବେ ଅଧିକ ମୁସ୍କିଲ୍ ହୋଇଯାଇଛି । ଏହାପୂର୍ବରୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଆନ୍ତର୍ଜାତିକ ସମୁଦାୟ ସମ୍ମୁଖରେ ସ୍ପଷ୍ଟ କରିଥିଲେ କି ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରିବା ଭାରତର ଆଭ୍ୟନ୍ତରୀଣ ମାମଲା ଅଟେ । ଜାମ୍ମୁ- କାଶ୍ମୀର ଭାରତର ଅଭିନ୍ନ ଅଂଶ ହୋଇ ସର୍ବଦା ଥିଲା, ଅଛି ଓ ଆଗକୁ ରହିବ । ତେଣୁ ପାକିସ୍ତାନ ଭାରତ ବିରୋଧରେ କରୁଥିବା ଅପପ୍ରଚାରରୁ ଦୂରେଇ ରହୁ ଓ ବାସ୍ତବତାକୁ ସ୍ୱୀକାର କରୁ ବୋଲି ପାରିହାର କହିଛନ୍ତି ।