ମଝି ଆକାଶରେ ବନ୍ଦ ହୋଇଗଲା ବିମାନର ଇଞ୍ଜିନ

ମୁମ୍ବାଇ(ସଂକେତ୍ ଟିଭି) : ଟାଟା ଗୃପ ଦ୍ବାରା ପରିଚାଳିତ ଏୟାର ଇଣ୍ଡିଆର ଗୋଟିଏ ବିମାନ ଅଳ୍ପକେ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ଏୟାର ଇଣ୍ଡିଆର ଏୟାରବସ ଏ୩୨୦ନେଓ ବିମାନ ମଝି ଆକାଶରେ ଉଡୁଥିବାବେଳେ ହଠାତ୍ ଏହାର ଗୋଟିଏ ଇଞ୍ଜିନ ବନ୍ଦ ହୋଇଯାଇଥିଲା । ବୈଷୟିକ ତ୍ରୁଟି କାରଣରୁ ଏପରି ଘଟିଥିବା ଜଣାପଡ଼ିବା ପରେ ପାଇଲଟ ଜଣଙ୍କ ତୁରନ୍ତ ବିମାନକୁ ଜରୁରୀ ଅବତରଣ କରାଇବାରେ ସକ୍ଷମ ହୋଇଛନ୍ତି । ଗୁରୁବାର ଏହି ଘଟଣା ଘଟିଥିଲା ।

ବିମାନଟି ଅବତରଣ କରିବା ପରେ ଯାତ୍ରୀମାନଙ୍କୁ ଆଉ ଗୋଟିଏ ବିମାନରେ ବେଙ୍ଗାଲୁରୁ ପଠାଯାଇଥିଲା ବୋଲି ଏୟାର ଇଣ୍ଡିଆ ମୁଖପାତ୍ର ସୂଚନା ଦେଇଛନ୍ତି । ଏହି ଘଟଣାର ତଦନ୍ତ ଡିଜିସିଏ ଆରମ୍ଭ କରିଥିବା ପିଟିଆଇ ସୂତ୍ରରୁ ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଏୟାରବସ ଏ୩୨୦ନେଓ ବିମାନଟି ମୁମ୍ୱାଇରୁ ସକାଳ ୯.୪୩ ମିନିଟ୍‌ରେ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା ।

ଉଡ଼ାଣର ପ୍ରାୟ ୨୭ ମିନିଟ୍ ପରେ ହଠାତ୍ ବିମାନର ଗୋଟିଏ ଇଞ୍ଜିନ ବନ୍ଦ ହୋଇଥିବା ସତର୍କ ସୂଚନା ପାଇଲଟମାନଙ୍କ ପାଖରେ ପହଞ୍ଚିଥିଲା । ଏହାପରେ ପାଇଲଟ ତୁରନ୍ତ ଜରୁରୀ ଅବତରଣ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ଶେଷରେ ବିମାନକୁ ଅଧା ରାସ୍ତାରୁ ପୁଣି ମୁମ୍ୱାଇ ଅଭିମୁଖେ ଫେରାଇ ଆଣିଥିଲେ । ଶେଷରେ ସକାଳ ୧୦.୧୦ ମିନିଟ୍‌ରେ ବିମାନଟି ମୁମ୍ୱାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ଏୟାରପୋର୍ଟରେ ସୁରକ୍ଷିତ ଭାବେ ଅବତରଣ କରିଥିଲା । ବିମାନ ଅବତରଣ କରିବା ପରେ ଯାତ୍ରୀମାନଙ୍କୁ ଆଉ ଏକ ବିମାନରେ ବେଙ୍ଗାଲୁରୁ ପଠାଯାଇଥିଲା । ସେହିପରି କମ୍ପାନୀର ବୈଷୟିକ ଟିମ୍ ବିମାନର ଯାଞ୍ଚ କରି ଏହାର ସମାଧାନ ପାଇଁ ଉଦ୍ୟମ କରିଥିବା ଏୟାର ଇଣ୍ଡିଆ ମୁଖପାତ୍ର କହିଛନ୍ତି ।