ପିକେଙ୍କ ଭବିଷ୍ୟବାଣୀ, ଗୁଜରାଟ ଓ ହିମାଚଳରେ କଂଗ୍ରେସ ହାରିବ

ନୂଆଦିଲ୍ଲୀ (ସଂକେତ୍ ଟିଭି) :କଂଗ୍ରେସର ଚିନ୍ତନ ଶିବିରକୁ ଅସଫଳ ଦର୍ଶାଇଛନ୍ତି ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର । ଉଦୟପୁର ଚିନ୍ତନ ଶିବିରରେ ଦଳକୁ କିଛି ବି ଫାଇଦା ମିଳିନି । ଗାନ୍ଧି ପରିବାର କେବଳ ନିଜର ଅସ୍ତିତ୍ୱ ରକ୍ଷା କରିବା ପାଇଁ ଏହି ଚିନ୍ତନ ଶିବିର ଆୟୋଜନ କରିଥିଲା । ଏଥିସହ ଆଗାମୀ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିବ ବୋଲି ପ୍ରଶାନ୍ତ କିଶୋର ଭବିଷ୍ୟବାଣୀ କରିଛନ୍ତି ।

ପ୍ରକାଶଥାଉକି ଗୁଜରାଟ ବିଧାନସଭାର ମୋଟ ୧୮୨ଟି ଆସନ ମଧ୍ୟରୁ ଏବେ ବିଜେପି ପାଖରେ ୧୧୧ ଆସନ ଥିବାବେଳେ କଂଗ୍ରେସ ପାଖରେ ଅଛି ମାତ୍ର ୬୩ ଆସନ । ଦୀର୍ଘ ୨୭ ବର୍ଷ ହେବ ରାଜ୍ୟରେ କଂଗ୍ରେସ କ୍ଷମତାରୁ ଦୂରରେ ଅଛି । ଗତଦିନରେ କଂଗ୍ରେସର ଆଦିବାସୀ ଚେହେରା ଭାବେ ପରିଚିତ ଅଶ୍ୱିନ କୋଟୱାଲ ଏବେ ବିଜେପି ଶିବିରରେ । ଆଉ ମାତ୍ର ଦିନ କେଇଟା ପୂର୍ବରୁ ଯୁବନେତା ହାର୍ଦ୍ଦିକ ପଟେଲ କଂଗ୍ରେସ ଛାଡ଼ିସାରିଛନ୍ତି । ଏପରି ସ୍ଥିତିରେ କଂଗ୍ରେସର ସେଭଳି କୌଣସି ଚେହେରା ନାହିଁ ଯାହା ନାମରେ ଦଳ ରାଜ୍ୟରେ ନିର୍ବାଚନ ଲଢ଼ିବ । ତେଣୁ ଏଠାରେ କଂଗ୍ରେସ ନିଶ୍ଚିତ ପରାଜୟବରଣ କରିବ ବୋଲି ପିକେ ଭବିଷ୍ୟବାଣୀ କରିଛନ୍ତି ।

ସେହିପରି ହିମାଚଳ ପ୍ରଦେଶର ୬୮ ବିଧାନସଭା ମଧ୍ୟରୁ ୪୪ଟି ବିଜେପି ପାଖରେ ଥିବାବେଳେ କଂଗ୍ରେସ ପାଖରେ ଅଛି ମାତ୍ର ୨୧ ଆସନ । ୧୯୮୫ ପରଠାରୁ କୌଣସି ବି ଦଳ ଏଠାରେ ତାଙ୍କ ସରକାରକୁ ପୁନରାବୃତ୍ତି କରିପାରୁ ନାହାନ୍ତି । ଥରେ ବିଜେପି ତ ଆଉଥରେ କଂଗ୍ରେସ କ୍ଷମତା ଦଖଲ କରିଥାନ୍ତି । କିନ୍ତୁ ୨୦୧୨ ପରଠାରୁ କଂଗ୍ରେସ କ୍ଷମତାରୁ ଦୂରେଇ ରହିଛି । ତେଣୁ ଏଥର ବି କଂଗ୍ରେସ ଏଠାରେ ବିଜୟର ସ୍ୱାଦ ଚାଖିପାରିବ ନାହିଁ ବୋଲି ପ୍ରଶାନ୍ତ କିଶୋର ଆକଳନ କରିଛନ୍ତି ।