ସେୟାର ମାର୍କେଟରେ ନିବେଶକ ବଢ଼ିଛନ୍ତି, ବ୍ରୋକର କମିଛନ୍ତି
ମୁମ୍ବାଇ(ସଂକେତ୍ ଟିଭି) : କରୋନା ମହାମାରୀ ସମୟରେ ଦେଶରେ ସେୟାର ନିବେଶକଙ୍କ ସଂଖ୍ୟା ପାଖାପାଖି ୨ଗୁଣା ବୃଦ୍ଧି ପାଇଥିଲେ ବି ସେୟାର ବ୍ରୋକରଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ବିଏସ୍ଇ ଓ ଏନ୍ଏସ୍ଇରେ ୨୦୦ ବ୍ରୋକର ନିଜସ୍ୱ କାରଣ ପାଇଁ ହେଉ ଅଥବା ତାଙ୍କର ସଦସ୍ୟତା ରଦ୍ଦ କରିଦିଆଯାଇଛି ।
ଗତ ଦୁଇବର୍ଷରେ ଏନ୍ଏସ୍ଇର ୮୨ ଓ ବିଏସ୍ଇର ୯୮ ବ୍ରୋକର ସେମାନଙ୍କର ମେମ୍ବରସିପ୍ ସରେଣ୍ଡର କରିଦେଇଛନ୍ତି । ୩୨ ବ୍ରୋକର ଏଭଳି ଅଛନ୍ତି ଯେଉଁମାନେ ଏନ୍ଏସ୍ଇ ଡିଫଲ୍ଟ ସୂଚିତ ହୋଇଛନ୍ତି । ଏହାବାଦ୍ କିଛି ଏକ୍ସଚେଞ୍ଜର ବ୍ରୋକରଙ୍କ ସଦସ୍ୟତା ରଦ୍ଦ କରିଦିଆଯାଇଛି । ଚଳିତବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏନ୍ଏସ୍ଇ ଓ ବିଏସ୍ଇରେ ସମାନ ସଂଖ୍ୟକ ଅର୍ଥାତ ୩୦୦ରୁ ଅଧିକ ପଞ୍ଜିକୃତ ବ୍ରୋକର ରହିଛନ୍ତି ।
ସ୍ୱାସ୍ତିକ ଇନ୍ଭେଷ୍ଟମାର୍ଟର ଏମ୍ଡି ସୁନୀଲ ନ୍ୟାନୀଙ୍କ କହିବାନୁଯାୟୀ ପ୍ରଥମେ ଅଧିକ ସଂଖ୍ୟକ କ୍ଲାଇଣ୍ଡସ୍ ବ୍ରୋକରଙ୍କ କାର୍ଯ୍ୟାଳୟକୁ ଆସୁଥିଲେ । ଏବେ ଲୋକମାନେ ଆପ୍ ଜରିଆରେ ମୋବାଇଲ୍ରେ ଟ୍ରେଡିଂ କରୁଛନ୍ତି । ଏହାବାଦ୍ ସେବି ତା’ର ନିୟମକାନୁନ୍ ଶକ୍ତ କରିଦେଇଥିବା ଯୋଗୁଁ ଛୋଟ ଛୋଟ ବ୍ରୋକରେଜ୍ କମ୍ପାନୀମାନେ ବଜାରରେ ନିଜର ସ୍ଥିତି ଜାହିର କରିବା ମୁସ୍କିଲ୍ ହୋଇଯାଇଛି ।