ତେଲଦର କମାଇବା ବାହାନାରେ ଲୋକଙ୍କୁ ବୋକା ବନାଉଛି ମୋଦି ସରକାର : ରାହୁଲ ଗାନ୍ଧି

ନୂଆଦିଲ୍ଲୀ (ସଂକେତ୍ ଟିଭି) : ତେଲଦର କମାଇବା ବାହାନାରେ ସରକାର ଲୋକମାନଙ୍କୁ ବୋକା ବନାଇବା ଛାଡ଼ନ୍ତୁ ଓ ମୁଦ୍ରାସ୍ପୀତି ଦାଉରୁ ଲୋକମାନଙ୍କୁ ପ୍ରକୃତ ସୁରକ୍ଷା ପ୍ରଦାନ କରନ୍ତୁ ବୋଲି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି । ଏହି ସହିତ ସେ ବିଜେପି ଶାସିତ କେନ୍ଦ୍ର ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି ।

ଏକ ଟୁଇଟ କରି ସେ ଲେଖିଛନ୍ତି ମେ ୧, ୨୦୨୦ରେ ପେଟ୍ରୋଲ ଦର ୬୯ ଟଙ୍କା ଥିଲା । ମାର୍ଚ୍ଚ୧, ୨୦୨୨ରେ ତାହା ୯୫ ଟଙ୍କା ୪୦ ପଇସା ଥିବାବେଳେ ମେ ୧, ୨୦୨୨ରେ ତାହା ୧୦୫ ଟଙ୍କାକୁ ବୃଦ୍ଧି ପାଇଥିଲା । ଆଜି ମେ ୨୨ରେ ତାହା ୯୬ ଟଙ୍କା ୭୦ ପଇସାକୁ ହ୍ରାସ ପାଇଛି । କିନ୍ତୁ ଏବେ ପେଟ୍ରୋଲ ଦର ନିଜ ବିକାଶ ଦେଖିବ-ଦିନକୁ ୩୦ରୁ ୮୦ ପଇସା ମଧ୍ୟରେ ବଢିଚାଲିବ ।

କେନ୍ଦ୍ର ସରକାର ଶନିବାର ଦିନ ପେଟ୍ରୋଲ ଉପରୁ କେନ୍ଦ୍ରୀୟ ଉତ୍ପାଦ ଶୁଳକ ୮ ଟଙ୍କା କମାଇଥିବାବେଳେ ଡିଜେଲ ଉପରୁ ୬ ଟଙ୍କା ହ୍ରାସ କରିଥିଲେ । ଏହା ଫଳରେ ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୫୦ ପଇସା, ଡିଜେଲ ୭ ଟଙ୍କା ହ୍ରାସ ପାଇଥିଲା ।