ଭାରତ ମହାସାଗର ଅଞ୍ଚଳରୁ ମାଛ ଚୋରି କରୁଛି ଚୀନ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରୁ ବେଆଇନ ଭାବେ ମାଛ ମାରୁଛନ୍ତି ଚୀନର ଫିସିଙ୍ଗ କମ୍ପାନି । ଏହାର ମୁକାବିଲା ପାଇଁ କ୍ୱାଡ୍‌ ରାଷ୍ଟ୍ରମାନଙ୍କ ପକ୍ଷରୁ ଏକ ସାଟେଲାଇଟ୍‌ ଭିତ୍ତିକ ଟ୍ରାକିଂ ସିଷ୍ଟମ ଚାଲୁ କରାଯିବ । ଏହା ଦ୍ୱାରା ଚୀନର ଫିସିଙ୍ଗ କମ୍ପାନିମାନଙ୍କ ଉପରେ ନଜର ରଖାଯାଇ ପାରିବ ।

ଟୋକିଓଠାରେ ଅନୁଷ୍ଠିତ ହେଉଥିବା କ୍ୱାଡ୍‌ ସମ୍ମିଳନୀରେ ଏ ସଂପର୍କରେ ଘୋଷଣା ହୋଇପାରେ । ସାଟଲାଇଟ ପରିଚାଳିତ ଏହି ଟ୍ରାକିଂ ସିଷ୍ଟମ ଆକାଶ ମାର୍ଗରୁ ଚୀନର ଫିସିଙ୍ଗ ଜାହାଜଗୁଡ଼ିକ ଉପରେ ନଜର ରଖିବ । ଏପରିକି ଏସବୁ ଜାହାଜର ଟ୍ରାନ୍ସପୋଣ୍ଡର ବନ୍ଦ କରିଦେଲେ ବି ସେଗୁଡ଼ିକ ଟ୍ରାକିଂ ସିଷ୍ଟମର ନଜରରୁ ବର୍ତ୍ତି ପାରିବେ ନାହିଁ ।

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ହେଉଥିବା ବେଆଇନ ମାଛମରାକୁ ନେଇ ଚିନ୍ତା ବଢିଚାଲିଛି । ଏସବୁ ବେଆଇନ ମାଛମରା ବା ଫିସିଙ୍ଗର ୯୫ ପ୍ରତିଶତ ଚୀନ ପକ୍ଷରୁ କରାଯାଉଛି ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଯେ, କ୍ୱାଡ୍‌ ହେଉଛି ୪ଟି ଦେଶ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନର ଏକ ମେଣ୍ଟ । ଏସିଆରେ ଚୀନର ବଢିଚାଲିଥିବା ଆଧିପତ୍ୟକୁ ରୋକିବାକୁ ଏହି ମେଣ୍ଟ ଗଠନ କରାଯାଇଛି । ଟୋକିଓଠାରେ ଚାଲିଥିବା କ୍ୱାଡ୍‌ ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଅନ୍ଥୋନୀ ଆଲବାନିଜ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡା ଯୋଗ ଦେଇଛନ୍ତି ।