ବଲିଉଡ୍‌ରେ ଡେବ୍ୟୁ କରିବେ ପୁନମଙ୍କ ଝିଅ ପାଲୋମା

ମୁମ୍ବାଇ (ସଂକେତ୍ ଟିଭି) : ଲିଉଡ୍ ଅଭିନେତ୍ରୀ ପୁନମ ଢିଲୋନଙ୍କ ଝିଅ ପାଲୋମା ଠାକେରିଆ ଢିଲୋନ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ପାଲୋମା ତାଙ୍କର ପ୍ରଥମ ଫିଲ୍ମ ରାଜଶ୍ରୀ ପ୍ରଡକ୍ସନ୍ସ ସହିତ ସାଇନ୍‌ କରିଛନ୍ତି । ଅବିନାଶ ବଡ଼ଜାତ୍ୟା ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । ଏଥିରେ ପାଲୋମାଙ୍କ ସହିତ ମୁଖ୍ୟ ଚରିତ୍ରରେ ରହିବେ ସନ୍ନି ଦେଓଲଙ୍କ ପୁଅ ରାଜବୀର ।

ପୁନମ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଝିଅ ପାଲୋମାଙ୍କ ଦୁଇଟି ଫଟୋ ଶେଆର କରିଛନ୍ତି । ତା’ସହିତ ରାଜଶ୍ରୀ ଫିଲ୍ମସର ଏକ ସୋଶାଲ ମିଡିଆ ପୋଷ୍ଟକୁ ଶେଆର କରିଛନ୍ତି, ଯେଉଁଥିରେ ପାଲୋମା ଓ ରାଜବୀରଙ୍କୁ ନେଇ ନୂଆ ଫିଲ୍ମ ହେବାକୁ ଯାଉଛି ବୋଲି ଘୋଷଣା କରାଯାଇଛି । ଏ ସବୁ ପୋଷ୍ଟ କରି ପୁନମ ତାଙ୍କ ଝିଅକୁ ଅଭିନନ୍ଦନ ଜଣାଇଛନ୍ତି ଓ ସଫଳତା କାମନା କରିଛନ୍ତି ।

ଏହା ତାଙ୍କ ଝିଅ ପାଇଁ ସୁର ଲଞ୍ଚ୍ ବୋଲି ପୁନମ ଲେଖିଛନ୍ତି । କାରଣ ରାଜଶ୍ରୀ ପ୍ରଡକ୍ସନ୍ସ ହେଉଛି ଦେଶର ଅନ୍ୟତମ ଜଣାଶୁଣା ତଥା ପ୍ରସିଦ୍ଧ ଫିଲ୍ମ ନିର୍ମାଣକାରୀ ସଂସ୍ଥା । ପୁନମଙ୍କ ଏହି ପୋଷ୍ଟ ପରେ ବଲିଉଡ୍‌ରୁ ମଧ୍ୟ ତାଙ୍କୁ ଓ ପାଲୋମାଙ୍କୁ ଅଭିନନ୍ଦନର ସୁଅ ଛୁଟିଛି । ଶ୍ରଦ୍ଧା କପୁର ଓ ଟାଇଗର ଶ୍ରଫ ପ୍ରମୁଖ ପାଲୋମାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

ପୁନମ ଢିଲୋନ ୧୯୭୭ରେ ଫେମିନା ମିସ୍ ଇଣ୍ଡିଆ ଟାଇଟଲ୍ ଜିତିଥିଲେ । ତା’ପର ବର୍ଷ ସେ ବଲିଉଡ୍‌ରେ ପାଦ ଦେଇଥିଲେ । ୧୯୭୮ରେ ରିଲିଜ୍ ହୋଇଥିବା ୟଶ ଚୋପ୍ରାଙ୍କ ଫିଲ୍ମ ‘ତ୍ରିଶୂଳ’ରେ ସେ ଅଭିନୟ କରିଥିଲେ । ତେବେ ୧୯୭୯ରେ ରିଲିଜ୍ ହୋଇଥିବା ଫିଲ୍ମ ‘ନୂରୀ’ ତାଙ୍କୁ ଦେଇଥିଲା ଏକ ପରିଚିତି । ସେ ପ୍ରାୟ ୭୦ ଟି ଫିଲ୍ମ କରିଥିବା ବେଳେ ଅନେକ ଧାରାବାହିକରେ ବି କାମ କରିଛନ୍ତି । ‘କିଟି ପାର୍ଟି’, ‘ଏକ୍ ନଇ ପେହଚାନ୍‌’, ‘ସନ୍ତୋଷୀ ମା’ ଓ ‘ଦିଲ୍ ହି ତୋ ହେ’ ଭଳି ଧାରାବାହିକରେ ସେ କାମ କରିଛନ୍ତି । ୨୦୦୯ରେ ସେ ରିଆଲିଟି ଶୋ’ ‘ବିଗ୍ ବସ୍‌’ରେ ଜଣେ ପ୍ରତିଯୋଗୀ ଭାବେ ସାମିଲ ହୋଇଥିଲେ ।