ବିଜେପି ଶାସନ ହିଟ୍‌ଲରଙ୍କଠୁ ଖରାପ : ମମତା ବାନାର୍ଜୀ

ନୂଆଦିଲ୍ଲୀ (ସଂକେତ୍ ଟିଭି) : କେନ୍ଦ୍ରୀୟ ସଂସ୍ଥାକୁ ରାଜ୍ୟ ବ୍ୟାପାରରେ ହସ୍ତକ୍ଷେପ କରିବାର ସୁଯୋଗ ଦେଇ କେନ୍ଦ୍ରର ବିଜେପି ସରକାର ଭାରତର ସଂଘୀୟ ଢ଼ାଞ୍ଚା ଉପରେ ବୁଲ୍‌ ଡୋଜର ଚଳାଇଛନ୍ତି । ଏହି ସଂସ୍ଥାଗୁଡିକୁ ସ୍ୱାଧୀନତା ଦିଆଯାଇଛି । ବିଜେପି ଶାସନ ହେଉଛି ହିଟ୍‌ଲର, ଜୋସେଫ୍‌ ଷ୍ଟାଲିନ୍‌ ଓ ବେଣ୍ଟିଓ ମୁସୋଲିନ୍‌ ଠାରୁ ଅତ୍ୟନ୍ତ ଖରାପ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।

ମମତା କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ର ସରକାର କେନ୍ଦ୍ରୀୟ ସଂସ୍ଥାଗୁଡିକୁ ରାଜ୍ୟ ବ୍ୟାପାରରେ ହସ୍ତକ୍ଷେପ କରିବାକୁ ସ୍ୱାଧୀନତା ଦେଇସାରିଛନ୍ତି । ତେଣୁ ଏହି ଏକଛତ୍ରବାଦ ଶାସନରୁ ଏବେ ଗଣତନ୍ତ୍ରକୁ ସୁରକ୍ଷା ଦେବାର ଆବଶ୍ୟକ ରହିଛି । କେନ୍ଦ୍ର ସରକାର ତୈଳ ଉପରୁ ଟିକସ ହ୍ରାସ କରିଛନ୍ତି ଓ ଉଜ୍ଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ୍‌ରେ ସବ୍‌ସିଡି ଦେବେ ବୋଲି କହିଛନ୍ତି ।

ଏହା କେବଳ ଏକ ନିର୍ବାଚନୀ ଚାଲ୍‌ । ବହୁ କମ୍‌ ସଂଖ୍ୟକ ବିପିଏଲ୍‌ ପରିବାର ଏହାଦ୍ୱାରା ସୁବିଧା ପାଇବେ । ତାଙ୍କ କ୍ୟାବିନେଟ୍‌ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍‌ ହ୍ରାସ କରିବ ନାହିଁ । କାରଣ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ବାବଦରେ ବ୍ୟାପକ ରାଜସ୍ୱ ସଂଗ୍ରହ କରୁଛନ୍ତି । କେନ୍ଦ୍ରୀୟ ସଂସ୍ଥାଗୁଡିକର ଅପବ୍ୟବହାର କରାଯାଉଛି ।

ଆର୍‌ଜେଡି ମୁଖ୍ୟ ଲାଲୁ ଯାଦବ ଓ ତାଙ୍କ ପରିବାର ଉପରେ ସିବିଆଇ କରିଥିବା ଚଢ଼ାଉର ସେ ଉଦାହରଣ ଦେଇଛନ୍ତି । ଉଜ୍ୱଳା ହିତାଧିକାରୀଙ୍କ ପାଇଁ ୨୦୦ ଟଙ୍କା ସବ୍‌ସିଡି ପ୍ରଦାନ କେବଳ ନିର୍ବାଚନ ଦୃଷ୍ଟିରୁ । ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ହେଉଛନ୍ତି ବିପିଏଲ୍‌ ବର୍ଗର । ଜଣେ ଗରିବ ଲୋକ କିଭଳି ୮୦୦ ଟଙ୍କା ଦେଇ ଗ୍ୟାସ୍‌ ସିଲିଣ୍ଡର କିଣିବ ବୋଲି ସେ ପ୍ରଶ୍ନ କରିଛନ୍ତି ।