ଆଇପିଏଲ୍ ଖେଳିଥିଲେ ପ୍ରତ୍ୟାବର୍ତ୍ତନ କଷ୍ଟ ହୋଇଥାନ୍ତା : ଚେତେଶ୍ବର ପୂଜାରା

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଆଇପିଏଲ ୨୦୨୨ ମେଗା ନିଲାମରେ ଚେତେଶ୍ବର ପୂଜାରାଙ୍କୁ କୌଣସି ଫ୍ରାଞ୍ଚାଇଜି ନକିଣିବା ତାଙ୍କ ପାଇଁ ବରଦାନ ପାଲଟିଛି । ଗୋଟିଏ ପଟେ ଯେଉଁଠି ପୁରା ଦୁନିଆର ନଜର ଏହି ରଙ୍ଗାରଙ୍ଗ ଲିଗ୍ ଉପରେ ଥିଲା, ସେଠି ପୂଜାରା କାଉଣ୍ଟିରେ ସସେକ୍ସ ପକ୍ଷରୁ ଖେଳି ଧମାଲ ମଚାଇ ଚାଲିଥିଲେ । ପୂଜାରା ୭ଟି ଇନିଂସରୁ ୪ ଶତକ ମାରିଥିଲେ । ଏଥିରେ ଦୁଇଟି ଦ୍ୱିଶତକ ମଧ୍ୟ ସାମିଲ । ଇଂଲଣ୍ଡ ମାଟିରେ ଏହି ଚମତ୍କାର ପ୍ରଦର୍ଶନର ପୁରସ୍କାର ସ୍ବରୂପ ପୂଜାରାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି ।

ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍‌ ପରେ ପୂଜାରା ଏବଂ ରାହାଣେଙ୍କୁ ଭାରତୀୟ ଦଳରୁ ବାହାରର ରାସ୍ତା ଦେଖାଇ ଦିଅଯାଇଥିଲା । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ପୂଜାରାଙ୍କ ସ୍ଥାନରେ ହନୁମା ବିହାରୀ ଏବଂ ଆଜିଙ୍କ୍ୟ ରାହାଣେଙ୍କ ବଦଳରେ ଶ୍ରେୟସ ଆୟରଙ୍କୁ ଦଳରେ ସ୍ଥାନ ମିଳିଥିଲା । ସସେକ୍ସ ପକ୍ଷରୁ ଦମଦାର ପ୍ରଦର୍ଶନ ପରେ ପୂଜାରାଙ୍କୁ ଇଂଲଣ୍ଡ ବିକ୍ଷ ଏକ ମାତ୍ର ରିସିଡ୍ୟୁଲ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ମିଳିଛି । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଭାରତ ୨-୧ରେ ଆଗୁଆ ରହିଛି ।

ଗତ ବର୍ଷ ଭାରତୀୟ ଶିବିରରେ କରୋନା ପ୍ରବେଶ ପରେ ଇଂଲଣ୍ଡରେ ଖେଳାଯାଇଥିବା ଏହି ସିରିଜ୍ ଅଧାରେ ଅଟକିଥିଲା । ପୂଜାରା କହିଛନ୍ତି, ଯଦି ମୋତେ ଅ ।ଇପିଏଲ ଦଳରେ ସ୍ଥାନ ମିଳିଥାନ୍ତା, ତେବେ ସମ୍ଭବତଃ ମୋତେ ଗୋଟିଏ ହେଲେ ମ୍ୟାଚରେ ଖେଳିବାର ସୁଯୋଗ ମିଳିନଥାନ୍ତା । ମୁଁ କେବଳ ନେଟ୍ସକୁ ଯାଇଥାନ୍ତି ଏବଂ ଅଭ୍ୟାସ୍ କରିଥାନ୍ତି । ମ୍ୟାଚ୍ ପ୍ରାକ୍ଟିସ୍‌ ଏବଂ ନେଟ୍ସରେ ଅଭ୍ୟାସ୍ ସର୍ବଦା ଅଲଗା ହୋଇଥାଏ । ଏଥିପାଇଁ କାଉଣ୍ଟି ଖେଳିବାକୁ ନିଷ୍ପତ୍ତି ନେଇଥିଲି । ମୁଁ ଚାହୁଁଥିଲି କାଉଣ୍ଟି ଖେଳି ଯେମିତି ହେଲେ ମୋର ପୁରୁଣା ଲୟକୁ ଫେରି ପାଇବା । ସାତ ବର୍ଷ ପରେ ୨୦୨୧ରେ ଚେନ୍ନାଇ ସୁପର କିଙ୍ଗ୍ସ ଚେତେଶ୍ୱର ପୂଜାରାଙ୍କୁ ନିଜର ମୂଳ ମୂଲ୍ୟ ୫୦ ଲକ୍ଷ ଟଙ୍କାରେ ନିଜ ଦଳରେ ସାମିଲ୍ କରିଥିଲା । କିନ୍ତୁ ତାଙ୍କୁ ସିଜିନର ଗୋଟିଏ ହେଲେ ମ୍ୟାଚରେ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିନଥିଲା ।

ପୂଜାରା କହିଛନ୍ତି, ମୁଁ ସକରାତ୍ମକ ଥିଲି ଯେ କାଉଣ୍ଟିରେ କିଛି କରି ପାରିବି । କାଉଣ୍ଟିରେ ଯେଉଁଭଳି ପ୍ରଦର୍ଶନ କଲି ଆଶା ଥିଲା ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବି । କାଉଣ୍ଟି କ୍ରିକେଟ୍ ଖେଳିବାକୁ ଯିବା ସମୟରେ ଭାରତୀୟ ଦଳକୁ ଫେରିବା ନେଇ ମୋ ମନରେ ସେମିତି କିଛି ନଥିଲା ।
ବାସ୍ ନିଜର ଲୟ ହାସଲ କରିବାକୁ ଚାହୁଁଥିଲି । ମୁଁ ଜାଣିଥିଲି ଯେ, ବାସ୍ ଗୋଟିଏ ବଡ ଇନିଂସ ମୋ ଲୟକୁ ଫେରି ପାଇବାରେ ସହାୟକ ହେବ । ବାସ୍ କାଉଣ୍ଟିକୁ ସଦୁଯୋଗ କଲି ଏବଂ ବଡ ଇନିଂସ ଖେଳିବାରେ ସଫଳ ହେଲି ବୋଲି ପୂଜାରା କହିଛନ୍ତି ।