ରୋହିତ ଓ କୋହଲିଙ୍କ ଫର୍ମକୁ ନେଇ ଚିନ୍ତା ନାହିଁ: ଗାଙ୍ଗୁଲି

କୋଲକାତା (ସଂକେତ୍ ଟିଭି) : ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମା ଚଳିତ ଆଇପିଏଲରେ ଫର୍ମ ହରାଇବା ଯୋଗୁଁ ଭଲ ରନ ସଂଗ୍ରହ କରି ପାରିଲେ ନାହିଁ । ଫଳରେ ପାଞ୍ଚଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ୧୪ ଲିଗ ମ୍ୟାଚରୁ ୧୦ ପରାଜୟ ସ୍ୱିକାର କରି ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ରହିଛି ।

ରୋହିତ ବିଫଳ ହେବା ଫଳରେ ଦଳର ବ୍ୟାଟିଂ ଉପରେ ପ୍ରବଳ ଚାପ ପଡିଥିଲା । କାରଣ ସେ ୧୪ ମ୍ୟାଚରେ ଗୋଟିଏ ଅର୍ଦ୍ଧଶତକ ମଧ୍ୟ ଅର୍ଜନ କରି ପାରିଲେ ନାହିଁ । ଅତି ଦୂର୍ବଳ ବ୍ୟାଟିଂ କରି ୧୯.୧୪ ହାରରେ ମୋଟ ୨୬୮ ରନ ସଂଗ୍ରହ କରିଛନ୍ତି । ପ୍ରଥମ ଥର ପାଇଁ ସେ ଆଇପିଏଲର ଗୋଟିଏ ସିଜିନରେ ଗୋଟିଏ ଅର୍ଦ୍ଧଶତକ ଅର୍ଜନ କରିବାରେ ବିଫଳ ହେଲେ ।

ତେବେ ରୋହିତ ଜଣେ ଦକ୍ଷ ଖେଳାଳି ଓ ଅଧିନାୟକ । ତାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ପାଞ୍ଚଥର ଆଇପିଏଲ ଟାଇଟଲ ହାସଲ କରିଛି । ସେହିପରି ରୋହିତ ଏସିଆ କପରେ ଭାରତକୁ ବିଜୟୀ କରାଇ ଥିବା ବେଳେ ଭାରତ ପାଇଁ ଯେତେ ମ୍ୟାଚରେ ଅଧିନାୟକତ୍ୱ କରିଛନ୍ତି ,ସେଥିରେ ମଧ୍ୟ ସଫଳ ହୋଇଛନ୍ତି । ତେଣୁ ଆମେ ସମସ୍ତେ ସାଧାରଣ ମଣିଷ । ସମୟ ସବୁବେଳେ ସାଥ ଦେଇ ନ ଥାଏ । ତେଣୁ ରୋହିତ ଏଥିରେ ଏକମାତ୍ର ବ୍ୟତିକ୍ରମ ନୁହନ୍ତି । ଅନେକ ଖେଳାଳିଙ୍କ ଜୀବନରେ ଏପରି ସାମୟିକ ପରିସ୍ଥିତି ଆସି ଥାଏ ।

ସେହିପରି ବିରାଟ କୋହଲି ଚଳିତ ଆଇପିଏଲରେ ୧୪ ମ୍ୟାଚର ୧୩ ଇନିଂସ ଖେଳି ୨୩୬ ରନ କରିଛନ୍ତି । ତେବେ ରୋହିତ ଓ କୋହଲି ଆଗାମୀ ସମୟରେ ପୁଣି ଫର୍ମକୁ ଫେରି ପାରିବେ । କାରଣ ଦୁହେଁ ଅଭିଜ୍ଞ ଖେଳାଳି । ତେଶୁ ସାମୟିକ ବିଫଳତାକୁ ଏଡାଇ ପରବର୍ତ୍ତୀ ସମୟରେ ଫର୍ମକୁ ଫେରିବା ନେଇ ଦୃଢ଼ ବିଶ୍ୱାସ ରହିଛି । ତେଣୁ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-୨୦ ସିରିଜ ପାଇଁ ଉଭୟ ଖେଳାଳିଙ୍କୁ ବିଶ୍ରାମ ଦିଆ ଯାଇଛି । ଏହା ପରେ ଇଂଲଣ୍ଡ ବିକ୍ଷ ସିରିଜରେ ଦୁହେଁ ଭଲ ଫର୍ମକୁ ଫେରିଲେ ଭାରତୀୟ ଦଳର ବ୍ୟାଟିଂ ଅଧିକ ମଜଭୂତ ହୋଇ ପାରିବ ବୋଲି ଗାଙ୍ଗୁଲି କହିଛନ୍ତି ।