CulturalLatest

ଦୁନିଆର ସବୁଠୁ ବଡ଼ ପ୍ରାକୃତିକ ଦର୍ପଣ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ମଣିଷ ଜୀବନରେ ଦର୍ପଣ ବା ଆଇନାର ଗୁରୁତ୍ୱ ବେଶ୍ ରହିଛି । ଦର୍ପଣରେ ନିଜ ମୁହଁ ଦେଖିବାକୁ କାହାକୁ ଅବା ଭଲ ନ ଲାଗେ । ନିଜ ନିଜ ପସନ୍ଦ ଅନୁସାରେ ଲୋକେ ଘରେ ଦର୍ପଣ ରଖିଥାଆନ୍ତି । କିନ୍ତୁ ଦୁନିଆର ସବୁଠୁ ବଡ଼ ପ୍ରାକୃତିକ ଦର୍ପଣ ବିଷୟରେ କିଛି ଜାଣନ୍ତି କି । ତେବେ ପ୍ରାକୃତିକ ଦର୍ପଣ, ତାହା ପୁଣି ସବୁଠୁ ବଡ଼- କେଉଁଠି ଅଛି ଏହି ଦର୍ପଣ । ବଲିଭିଆରେ ଅଛି ପ୍ରକୃତିର ଏହି ବିସ୍ମୟ । ବଲିଭିଆରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଦୁନିଆର ସବୁଠୁ ବଡ଼ ଦର୍ପଣ ରହିଛି । ଏହି ସ୍ଥାନର ନାଁ ସାଲାର ଡି ୟୁନି ।

ସାଲାର ଡି ୟୁନି ୧୦,୫୮୨ବର୍ଗକିମି ଦୀର୍ଘ ଦୁନିଆର ସବୁଠୁ ବଡ଼ ଲବଣ କ୍ଷେତ୍ର । ଏହା ଏତେ ସ୍ୱଚ୍ଛ ଯେ ଦେଖିବାକୁ ଦର୍ପଣ ଭଳି ମନେ ହୁଏ । ଏହି ଅଞ୍ଚଳ ଆଣ୍ଡିଜ୍ ପାର୍ବତ୍ୟମାଳା ପାଖରେ ଦକ୍ଷିଣ-ପଶ୍ଚିମ ବଲିଭିଆର ପୋଟୋସି ଅଧୀନସ୍ଥ ଡ୍ୟାନିଏଲ୍ କ୍ୟାମ୍ପସ୍ ପ୍ରାନ୍ତରେ ପରିବ୍ୟାପ୍ତ । ଏହି ସ୍ଥାନ ସମୁଦ୍ର ପତ୍ତନରୁ ୩,୬୫୬ ମିଟର ଉଚ୍ଚତାରେ ଅବସ୍ଥିତ । ଏହି ସ୍ଥାନକୁ ସାଲାର ଡି ଟ୍ୟୁନୁ । ମଧ୍ୟ କୁହାଯାଏ । ଏହି ସ୍ଥାନର ଦୃଶ୍ୟ ଅତ୍ୟନ୍ତ ଅପୂର୍ବ । ମନେହୁଏ ପ୍ରକୃତିର ଏହା ଏକ ଅପରୂ ବିସ୍ମୟ । ଏହି ସ୍ଥାନର ଲବଣାକ୍ତ ଭୂମି ଏତେ ସ୍ୱଚ୍ଛ ଯେ ଜଣେ ନିଜ ପ୍ରତିବିମ୍ବ ଦେଖିପାରେ ।

ଏହି ସ୍ଥାନ ବିଷୟରେ କୁହାଯାଏ ଯେ ଏଠାରେ ଆଗରୁ ଏକ ହ୍ରଦ ଥିଲା । ଯାହା ଶୁଖିଗଲା ପରେ ଲୁଣର ମରୁଭୂମି ପାଲଟିଗଲା । ଏହି ସ୍ଥାନ କେଇ ମିଟର ପର୍ଯ୍ୟନ୍ତ ଲୁଣରେ ଆବୃତ । ଲୋକମାନେ ଏହି ଲବଣ କ୍ଷେତ୍ରରେ ଚାଲୁଥିବା ବେଳେ ସେମାନଙ୍କୁ ଅନୁଭବ ହୋଇଥାଏ ସତେ ଯେମିତି ସେମାନେ ଆକାଶରେ ଚାଲୁଛନ୍ତି । କାରଣ ତଳେ ଆକାଶ ଓ ଭାସମାନ ବାଦଲ ସାଙ୍ଗକୁ ସେମାନଙ୍କ ପ୍ରତିବିମ୍ବ ଦୃଶ୍ୟମାନ ହୋଇଥାଏ । ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଏହି ସ୍ଥାନର ଦୃଶ୍ୟ ଅବର୍ଣ୍ଣନୀୟ । ଲାଗେ କୌଣସି ମହାଜାଗତିକ ଦୃଶ୍ୟଠାରୁ କୌଣସି ଗୁଣରେ କମ୍ ନୁହେଁ ।