କଳିଙ୍ଗା ଘାଟିରେ ବସ୍ ଦୁର୍ଘଟଣା: ୬ ମୃତ, ୪୫ ଆହତ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ପଶ୍ଚିମ ବଙ୍ଗର ଏକ ଟୁରିଷ୍ଟ ବସ୍ କଳିଙ୍ଗା ଘାଟିରେ ଓଲଟି ଯିବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୫ ଜଣ ଆହତ ହୋଇଥିବାର ସୂଚନା ରହିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଗଞ୍ଜାମ-କନ୍ଧମାଲ ସୀମାରେ ଥିବା କାଲିଙ୍ଗା ଘାଟ ଦୁର୍ଗାପ୍ରସାଦ ସୀମାନ୍ତରେ ଏହି ଟୁରିଷ୍ଟ ବସ୍ ଦୁର୍ଘଟଣାର ଶିକାର ହୋଇଛି ।

ସୂଚନା ମୁତାବକ, ବସଟି ପଶ୍ଚିମବଙ୍ଗରୁ ୧୧ ଦିନିଆ ପରିଭ୍ରମଣରେ ଦୁଇ ଦିନ ତଳୁ ବାହାରି ଦାରିଙ୍ଗବାଡିରେ ପହଂଚି କାଲି ରାତି ୯ଟାରୁ ବାହାରି ବିଶାଖାପାଟଣା ଅଭିମୁଖେ ଯାଉଥିଲା । ହେଲେ ଡ୍ରାଇଭର ଭରସାମ୍ୟ ହରାଇବାରୁ ବସଟି କାଲିଙ୍ଗାଘାଟିରେ ଓଲଟି ପଡିଥିଲା ।

ସୂଚନା ପାଇ ଦୁର୍ଗାପ୍ରସାଦ ଅଂଚଳର ଯୁବକ ସଂଘ ସେଠାରେ ପହଂଚି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ । ଆହତ ମାନଙ୍କୁ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି ଆମ୍ବୁଲାନ୍ସରେ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଆହତ ମାନଙ୍କ ମଧ୍ୟରୁ ଅନେକ ଗୁରୁତର ଥିବା ଜଣାପଡିଛି । ସେମାନଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ଏହି ଘଟଣା ପରେ ଏବେ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ କରିଛନ୍ତି ଯେ, ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହେତୁ ଲୋକଙ୍କ ଜୀବନ ଯାଇଥିବାରୁ ମୁଁ ବହୁତ ଦୁଃଖିତ। ଏହି ଦୁଃଖଦ ସମୟ ମଧ୍ୟରେ ମୁଁ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି। ମୁଁ ପ୍ରାର୍ଥନା କରୁଛି ଯେ ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ।

ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଲେଖିଛନ୍ତି ଯେ, ଦାରିଙ୍ଗବାଡି କଳିଙ୍ଗା ଘାଟି ନିକଟରେ ପର୍ଯ୍ୟଟକ ବସ୍ ଦୁର୍ଘଟଣାରେ ଅନେକଙ୍କ ପ୍ରାଣହାନି ହୋଇଥିବା ଖବର ବିଷୟରେ ଜାଣି ମୁଁ ଦୁଃଖିତ। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।