ଏକେ ୪୭ ହେଲାଣି ଅଲୋଡ଼ା, ଅତ୍ୟାଧୁନିକ ଅସ୍ତ୍ର ବ୍ୟବହାର କରୁଛନ୍ତି ଆତଙ୍କବାଦୀ

ଶ୍ରୀନଗର (ସଂକେତ୍ ଟିଭି) : ଜମ୍ମୁ-କଶ୍ମୀରରେ ଥିବା ସ୍ଥାନୀୟ ତଥା ବିଦେଶୀ ଆତଙ୍କବାଦୀମାନେ ବର୍ତ୍ତମାନ ଆକ୍ରମଣର କୌଶଳ ପରିବର୍ତ୍ତନ କରୁଛନ୍ତି । ଏହାପୂର୍ବରୁ, ‘ଏକେ ୪୭’ ପରି ସ୍ୱୟଂଚାଳିତ ରାଇଫଲଗୁଡିକୁ ଆକ୍ରମଣ ପାଇଁ ବ୍ୟବହାର କରୁଥିଲେ । ତେବେ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ବହୁ ସଂଖ୍ୟାରେ ଆତଙ୍କବାଦୀ ନିହତ ହେବା ପରେ ଏବେ ଏକେ ୪୭ ବଦଳରେ ପିସ୍ତଲ ବ୍ୟବହାର କରୁଥିବାର ଜଣାପଡିଛି । ବିଶେଷ କରି ‘ହାଇବ୍ରିଡ୍‌’ ଆତଙ୍କବାଦୀମାନେ କେବଳ ପିସ୍ତଲ ବ୍ୟବହାର କରୁଛନ୍ତି ।

ଜମ୍ମୁ କଶ୍ମୀରର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ହାଇବ୍ରିଡ ଆତଙ୍କବାଦୀମାନେ ବର୍ତ୍ତମାନ ‘ଟାର୍ଗେଟ କିଲିଂ’ ଉପରେ ଧ୍ୟାନ ଦେଉଛନ୍ତି । ଏହାର କାରଣ ହେଉଛି, ଆତଙ୍କବାଦୀମାନେ ଏଥିରେ ଖସିଯିବାର ଅଧିକ ସୁବିଧା ରହିଛି । ସିଧାସଳଖ ଲଢେଇରେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କୁ ମୁକାବିଲା କରିପାରୁନଥିବାବେଳେ ନୂତନ ଆତଙ୍କବାଦୀଙ୍କୁ ସାମିଲ କରିହେଉ ନାହିଁ ।

ସେହିପରି ସୀମା ଅନୁପ୍ରବେଶକୁ ମଧ୍ୟ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇଛି । ଏଭଳି ପରିସ୍ଥିତିରେ ଆତଙ୍କବାଦୀ ସଂଗଠନମାନେ ଟାର୍ଗେଟ କିଲିଂ ପାଇଁ ‘ହାଇବ୍ରିଡ’ଦଳକୁ ସକ୍ରିୟ କରୁଛନ୍ତି ।