CulturalFeaturedLatest

ଝିଅ ଭାବି ପୁଅକୁ ବାହାହେଲେ ଯୁବକ, ଫେସବୁକରେ ହୋଇଥିଲା ପ୍ରେମ

ଭଦ୍ରକ (ସଂକେତ୍ ଟିଭି) : ଝିଅ ଭାବି ପୁଅକୁ ବାହାହେଲେ ଯୁବକ । ବିବାହ ହୋଇ ଗୃହପ୍ରବେଶ କରିଥିବା ନୂଆବୋହୂ ଝିଅ ନୁହେଁ ପୁଅ ବୋଲି ପ୍ରଘଟ ହେଲା । ସତ ଜାଣିବାକୁ ଲୋକେ ନବବଧୂକୁ ମାଡ଼ ମାରି ଉଲଗ୍ନ କରିଥିଲେ । ପରେ ନବବଧୂ ବେଶରେ ଝିଅ ନୁହେଁ ଜଣେ ପୁଅ ଥିଲା ବୋଲି ଜଣାପଡ଼ିଥିଲା । ଏପରି ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କଶିଆ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନା ଅନୁସାରେ, ପଶ୍ଚିମବଙ୍ଗର ଉତ୍ତର ଚବିଶପ୍ରଗଣା ଜିଲ୍ଲାର ଆଲୋକ କୁମାର ମିସ୍ତ୍ରୀଙ୍କ ସହ କେନ୍ଦ୍ରାପଡା ଜମ୍ବୁ ମେରାଇନ୍‌ ଥାନା ରାମନଗର ଗ୍ରାମର ବିଶ୍ୱନାଥ ମଣ୍ଡଳଙ୍କ ଝିଅ ମେଘନା ମଣ୍ଡଳଙ୍କ ଫେସବୁକରୁ ବନ୍ଧୁତା ସ୍ଥାପନ ହୋଇଥିଲା । ପରେ ମୋବାଇଲରେ କଥାବାର୍ତ୍ତା ହୋଇଥିଲା । ମାତ୍ର ୧୫ ଦିନର କଥାବାର୍ତ୍ତାରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ପରେ ବିବାହ କରିବାକୁ ନିଷ୍ପତ୍ତି ହୋଇଥିଲା।

ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ୨୪ ତାରିଖରେ ଆଲୋକ ଚଣ୍ଡିଖୋଲରେ ପହଞ୍ଚି ମେଘନାକୁ ଅପେକ୍ଷା କରିଥିଲେ । ମେଘନା ଘରୁ ଆସି ସେଠାରେ ପହଞ୍ଚି ଥିଲେ । ସେଇଠୁ ଉଭୟ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କଶିଆ ଅଞ୍ଚଳକୁ ଆସିଥିଲେ । କଶିଆରେ ଆଲୋକଙ୍କ ମାମୁ ଘର । ବୋହୂ ଘରକୁ ଆସୁଛି ଜାଣି ଆଲୋକର ମାମୁ ପୁଅ ରବି ମଣ୍ଡଳ ଉଭୟଙ୍କୁ ପାଛୋଟି ନେଇଥିଲେ । ଆଲୋକଙ୍କ ଭାଉଜ ଉଭୟଙ୍କୁ ବନ୍ଦାପନା କରି ଘର ଭିତରକୁ ସ୍ୱାଗତ କରିଥିଲେ ।

ନବାଗତ ବର କନ୍ୟାଙ୍କୁ ଦେଖିବା ପାଇଁ ପାଖ ପଡ଼ୋଶୀଙ୍କ ଧାଡ଼ି ଲାଗିଥିଲା । ଘରେ ଆନନ୍ଦର ଲହରି ଖେଳିଯାଇଥିଲା । ସନ୍ଧ୍ୟାରେ ଭୋଜିର ଆୟୋଜନ ମଧ୍ୟ କରାଯାଇଥିଲା । ପୁଅ ବୋହୂକୁ ଦେଖି ଅନେକ ଆଶୀର୍ବାଦ ପ୍ରଦାନ କରିଥିଲେ ।

ଭୋଜି ଭାତର ଆସର ଜମିଥିବା ବେଳେ ନିକଟ ବିନୋବାଭାବେନଗର ଗ୍ରାମର ସବିତା ମଣ୍ଡଳ ସେଠାକୁ ଆସିଥିଲେ । ସେ ମେଘନାଦକୁ ଚିହ୍ନି ପକାଇଥିଲେ । ସେଠାରୁ ଗାଁକୁ ଯାଇ କହିଥିଲେ, ମେଘନା ଝିଅ ନୁହେଁ ପୁଅ । ସେ ମୋର ପୁତୁରା ହିସାବ ହେବ । କଥା ପ୍ରଘଟ ହୋଇଥିଲା । ହସଖୁସିରେ ବିବାହ ଉତ୍ସବ ମନାଉଥିବା ମେଘନା କାନରେ ଏକଥା ବାଜିଲା । କଥାକୁ ଅତି ଚତୁରତାର ସହ ସେ ଲୁଚାଇ ଚାଲିଥିଲେ ।

ମାମୁଘର ପରିବାର ଲୋକେ ରାତିସାରା ଉଜାଗର ରହିଲେ । ମେଘନା ପରିବାର ଲୋକଙ୍କୁ ମଧ୍ୟ ଡକାଇଲେ । ଏହି କଥାକୁ ଗ୍ରାମବାସୀ ସହଜରେ ବିଶ୍ୱାସ କରିନଥିଲେ । ସକାଳ ହେବା ପରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ମେଘନାକୁ ମାଡ଼ ମାରି ଉଲଗ୍ନ କଲେ । ପରେ ନବବଧୂ ସାଜିଥିବା ମେଘନା ଜଣେ ଝିଅ ନୁହେଁ ପୁଅ ଓ ତାର ନାଁ ମେଘନାଦ ବୋଲି ସ୍ପଷ୍ଟ ହୋଇଥିଲା । ହେଲେ ମେଘନାଦର କଥାବାର୍ତ୍ତା ଚାଲିଚଳନ ସବୁ ଅବିକଳ ଝିଅ ପରି ।

ଏପରିକି ଝିଅଙ୍କ ପରି ପୋଷାକ ମଧ୍ୟ ସେ ପିନ୍ଧୁଥିଲା । ପରେ ଗ୍ରାମବାସୀ ମେଘନାଦ ରଖିଥିବା ଲମ୍ବା ଚୁଟିକୁ କାଟିଥିଲେ । ଏପରି ଆଉ କୌଣସି ପୁଅଙ୍କ ସହିତ ନ କରିବାକୁ ପରାମର୍ଶ ଦେଇଥିଲେ । ପରେ ମେଘନାଦକୁ ପୁଅ ପୋଷାକ ପିନ୍ଧାଇ ଥିଲେ । ପୂର୍ବରୁ ମେଘନାଦ ବହୁ ଯୁବକଙ୍କୁ ଏଭଳି ଝିଅ ବେଶ ଧରି ଠକି ଥିବା ମାନିଛି । ଖବର ପାଇ ପୋଲିସ ପହଞ୍ଚି ମେଘନାଦଙ୍କୁ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।