କଂଗ୍ରେସ ଦଳରେ ଦେଖାଦେଇଛି ଆର୍ଥିକ ସଂକଟ, ଘର ଘର ଯାଇ ଦାନ ମାଗିବ ଦଳ

ନୂଆଦିଲ୍ଲୀ (ସଂକେତ୍ ଟିଭି) : କଂଗ୍ରେସ ଦଳ ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏହାର ମୁକାବିଲା ପାଇଁ କଂଗ୍ରେସ ବାମ ଦଳର କେରଳ ମଡେଲକୁ ଆପଣାଇବାକୁ ପ୍ରସ୍ତୁତି କରୁଛି । ଏହି ମଡେଲ ଆଧାରରେ ବାମ ଦଳ ଡୋର୍ ଟୁ ଡୋର୍ ଅଭିଯାନ ଚଳାଇଥାଏ, ଏହାଦ୍ବାରା ଦଳ ଅର୍ଥ ଏକଜୁଟ କରିଥାଏ । ଏହାସହ ଦାନକର୍ତ୍ତାଙ୍କୁ ଏହା ବଦଳରେ ସ୍ଲିପ୍ ମଧ୍ୟ ଦିଆଯାଇଥାଏ ।

ଭାରତୀୟ ନିର୍ବାଚନ ଆୟୋଗରେ ଦାଖଲ ହୋଇଥିବା ଅଡିଟ୍ ରିପୋର୍ଟରେ ମଧ୍ୟ କୁହାଯାଇଥିଲା ଯେ, କଂଗ୍ରେସର ଆୟ ୨୦୨୦-୨୧ରେ ୫୮ ପ୍ରତିଶତରୁ କମ୍ ହୋଇଯାଇଛି । ୨୦୨୦-୨୧ ମସିହାରେ କଂଗ୍ରେସର ଆୟ ୨୮୫.୭ କୋଟି ଟଙ୍କା ଥିଲା । ଏହା ପୂର୍ବର ଆର୍ଥିକ ବର୍ଷରେ ଏହି ସଂଖ୍ୟା ୬୮୨.୨ କୋଟି ଟଙ୍କା ଥିଲା । ୨୦୧୮-୧୯ ଆର୍ଥିକ ବର୍ଷରେ ଦଳର ଆୟ ୯୧୮ କୋଟି ଟଙ୍କା ଥିଲା ।

ରିପୋର୍ଟ ଅନୁସାରେ ରାଜସ୍ଥାନ ଉଦୟପୁରରେ ଆୟୋଜିତ ଚିନ୍ତନ ଶିବିରରେ ସିପିଆଇ(ଏମ୍)ର ମଡେଲକୁ ନେଇ ଚର୍ଚ୍ଚା କରାଯାଇଥିଲା । କେରଳ କଂଗ୍ରେସର ପୂର୍ବତନ ମୁଖ୍ୟ ରମେଶ ଚେନ୍ନିଥଲା ଏହି ମଡେଲକୁ ଅପଣାଇବାକୁ ପ୍ରସ୍ତାବ ଦେଇଥିଲେ । ଖବର ଅନୁସାରେ ଶିବିରରେ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ସମ୍ବଳ ଯୋଗାଡ କରିବାକୁ ନେଇ ବିସ୍ତାର ଭାବେ ଚର୍ଚ୍ଚା କରାଯାଇଥିଲା ।

ରିପୋର୍ଟ ଅନୁସାରେ, ଅହମ୍ମଦ ପଟେଲଙ୍କ ଦେହାନ୍ତ ପରେ ଦଳରେ ଆର୍ଥିକ ସଙ୍କଟ ଦେଖାଦେଇଛି । ଅହମ୍ମଦ ପଟେଲ ତାଙ୍କ କର୍ପୋରେଟ୍ ଏବଂ ଅନ୍ୟାନ୍ୟ ଯୋଗାଯୋଗର ସାହାଯ୍ୟରେ ପାର୍ଟି ଫଣ୍ଡିଂର କାମ ସମ୍ଭାଳୁଥିଲେ । ଦଳର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟ ଆର୍ଥିକ ମୋର୍ଚ୍ଚା ଦେଖନ୍ତି । କିନ୍ତୁ ମୋଦି ସରକାରରେ କଂଗ୍ରେସର ଆୟ ଯଥେଷ୍ଟ ହ୍ରାସ ପାଇଛି ।