ଫାଶୀ ଖୁଣ୍ଟରେ ଝୁଲିବା ମାମଲାରେ ୨୦% ବୃଦ୍ଧି

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଗତ ଦୁଇବର୍ଷରେ ବିଶ୍ୱରେ ଅପରାଧୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ମାମଲାରେ ୨୦% ବୃଦ୍ଧି ହୋଇଛି । ଅନ୍ୟପକ୍ଷରେ ମୃତ୍ୟୁଦଣ୍ଡରେ ଦଣ୍ଡିତ ଅପରାଧୀଙ୍କ ସଂଖ୍ୟା ୩୯% ବୃଦ୍ଧି ଘଟିଛି । ୨୦୨୦ ମସିହାରେ ସମଗ୍ର ବିଶ୍ୱରେ ୪୮୩ ଜଣ ଅପରାଧୀଙ୍କୁ ଫାଶୀ ଦିଆଯାଇଛି ଓ ୧୪୭୭ ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶର ସଜା ଶୁଣାଯାଇଛି । ୨୦୨୧ ମସିହାରେ ବିଶ୍ୱରେ ୫୭୯ଜଣ ଅପରାଧୀଙ୍କୁ ଫାଶୀ ଦିଆଯାଇଥିବାବେଳେ ୨୦୫୨ଜଣ ଅପରାଧୀଙ୍କୁ ଫାଶୀ ଦଣ୍ଡର ସଜା ଶୁଣାଯାଇଛି ।

ଏମ୍‌ନେଷ୍ଟି ଇଣ୍ଟରନ୍ୟାସନାଲ୍‌ର ୬୬ପୃଷ୍ଠା ବିଶିଷ୍ଟ ସଦ୍ୟ ରିପୋର୍ଟରେ ଏହି ତଥ୍ୟ ଜଣାଯାଇଛି । ଏହି ସଂଗଠନ ବିଶ୍ୱର ମାନବାଧିକାର କ୍ଷୂର୍ଣ୍ଣ ମାମଲା ସମ୍ବୋଧିତ ଡାଟା ଏକତ୍ର କରିଥାଏ । ମୃତ୍ୟୁର ଦଣ୍ଡ ଦେଉଥିବା ଦେଶଙ୍କ ମଧ୍ୟରୁ ଇରାନ୍‌ ସବୁଠୁ ଆଗରେ ରହିଛି । ଏଠାରେ ୨୦୨୧ରେ ୩୧୪ ଓ ୨୦୨୦ ମସିହାରେ ୨୪୬ ଅପରାଧୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା । ତେବେ ଏହି ରିପୋର୍ଟରେ ଚୀନ୍‌, ଉତ୍ତର କୋରିଆ ଓ ଭିଏତନାମାର ଡାଟା ଉପଲବ୍ଧ ନାହିଁ । କାରଣ ଏହି ଦେଶମାନେ ଫାଶୀ ଓ ମୃତ୍ୟୁ ଦଣ୍ଡାଦେଶ ପାଉଥିବା ଅପରାଧୀଙ୍କ ସଂଖ୍ୟା ଉପଲବ୍ଧ କରିନଥାନ୍ତି ।

ପରନ୍ତୁ ଏମ୍‌ନେଷ୍ଟି ଇଣ୍ଟରନ୍ୟାସନାଲ୍‌ର ସୂଚନାନୁଯାୟୀ ବିଶ୍ୱରେ ସବୁଠୁ ଅଧିକ ଫାଶୀ ଦେଉଥିବା ଦେଶ ମଧ୍ୟରେ ଚୀନ୍ ସର୍ବାଗ୍ରେ ରହିଛି । ୨୦୨୧ରେ ମୋଟ ଫାଶୀ ପାଇଥିବା ୮୦% ଅପରାଧୀ ଇରାନ୍‌, ମିଶର୍ ଓ ସାଉଦିଆରବରୁ ଥିବା ଜଣାଯାଇଛି ।