ଷ୍ଟାଡିୟମରେ କୁକୁର ବୁଲାଇ ବିବାଦରେ ଆଇଏସ୍ ଦମ୍ପତି: ସ୍ୱାମୀ ଲଦାଖ, ସ୍ତ୍ରୀଙ୍କୁ ଅରୁଣାଚଳ ପ୍ରଦେଶ ବଦଳି

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଖେଳାଳିଙ୍କ ଅଭ୍ୟାସ ଅଟକାଇ କୁକୁର ବୁଲାଇବାକୁ ନେଇ ବିବାଦକୁ ଆସିଥିବା ଆଇଏଏସ ଅଧିକାରୀ ସଞ୍ଜୀବ ଖିରୱାରଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦିଲ୍ଲୀରୁ ଲଦାଖ ବଦଳି କରିଛି। ତାଙ୍କ ପତ୍ନୀ ରିଙ୍କୁ ଦୁଗ୍ଗାଙ୍କୁ ମଧ୍ୟ ଅରୁଣାଳୟ ପ୍ରଦେଶ ବଦଳି କରାଯାଇଛି।

ସୂଚନା ଅନୁସାରେ, ଷ୍ଟାଡିୟମରେ ଅଭ୍ୟାସ କରୁଥିବା ଖେଳାଳିଙ୍କ ପକ୍ଷରୁ ଲଗାତାର ଅଭିଯୋଗ ହୋଇଥିଲା ଯେ ସଂଧ୍ୟା ପ୍ରାୟ ୬.୩୦ ସୁଦ୍ଧା ଟ୍ରେନିଂ ଶେଷ କରିବାକୁ କୁହାଯାଉଛି। ତେବେ ଏହା ପଛର କାରଣ ଷ୍ଟାଡିୟମ ବନ୍ଦ ହେବା ସମୟ କିମ୍ୱା ଅନ୍ୟ କିଛି ନୁହେଁ। ଦିଲ୍ଲୀ ସରକାରଙ୍କ ରାଜ୍ୟସ୍ୱ ବିଭାଗର ମୁଖ୍ୟ ସଚିବ ସଞ୍ଜୀବ ଖିରୱାର ନିଜ କୁକୁରକୁ ଷ୍ଟାଡିୟମରେ ବୁଲାଇ ପାରିବେ ସେଥିପାଇଁ ଏହି ନିର୍ଦ୍ଦେଶ ଦିଆଯାଉଥିଲା।

ଅଭିଯୋଗ ସାମନାକୁ ଆସିବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ଘଟଣାରେ ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଥିଲେ। ରିପୋର୍ଟ ଆସିବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଉଭୟଙ୍କୁ ବଦଳି କରାଯାଇଛି। ଏହାସହ ଷ୍ଟାଡିୟମ ରାତି ୧୦ଟା ଯାଏଁ ଖୋଲା ରହିବ ବୋଲି ସରକାର ଘୋଷଣା କରିଥିଲେ। ଉଲ୍ଲେଖଯୋଗ୍ୟ, ତ୍ୟାଗରାଜ ଷ୍ଟାଡିୟମକୁ ୨୦୧୦ ମସିହାରେ ରାଜ୍ୟଗୋଷ୍ଠୀ କ୍ରୀଡା ସମୟରେ ନିର୍ମାଣ କରାଯାଇଥିଲା।