ରାଜ୍ୟସଭା ଉପନିର୍ବାଚନ : ବିଜେଡ଼ିର ଚିନ୍ତା ବଢ଼ାଉଛନ୍ତି ମାଳମାଳ ଆଶାୟୀ

ଭୁବନେଶ୍ବର (ସଂକେତ୍ ଟିଭି) : ରାଜ୍ୟସଭା ଉପନିର୍ବାଚନ ଲାଗି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜୁନ୍‌ ୨ ତାରିଖ ଯାଏଁ ଚାଲିବ । ଆବଶ୍ୟକ ହେଲେ ଜୁନ୍‌ ୧୩ରେ ଭୋଟିଂ ହେବ । ସୂଚନାଯୋଗ୍ୟ ସୁବାଷ ସିଂ ୨୦୨୦ ମାର୍ଚ୍ଚରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨ ବର୍ଷ ସେ ରାଜ୍ୟସଭା ସଦସ୍ୟ ଭାବେ କାର୍ଯ୍ୟ କରିବା ପରେ ନିକଟରେ ଶେଷ ହୋଇଥିବା ପୌର ନିର୍ବାଚନରେ କଟକ ମହାନଗର ନିଗମର ସେ ମେୟାର ଭାବେ ନିର୍ବାଚିତ ହୋଇଛନ୍ତି । ଏପ୍ରିଲ ୨୧ରେ ସେ ରାଜ୍ୟସଭା ପଦରୁ ସେ ଇସ୍ତଫା ଦେବା ପରେ ଏହି ପଦବୀ ଲାଗି ଉପନିର୍ବାଚନ ହେଉଛି ।

ବିଜ୍ଞପ୍ତି ଅନୁଯାୟୀ ଜୁନ୍‌ ୩ରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ୬ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନିଜ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ପାରିବେ । ଆବଶ୍ୟକ ହେଲେ ୧୩ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟ୍‌ ଗ୍ରହଣ କରାଯିବ । ଅପରାହ୍ନ ୫ଟାରେ ଭୋଟ୍‌ ଗଣତି ହେବ । ଜୁନ୍‌ ୧୭ ପୂର୍ବରୁ ସମସ୍ତ ପ୍ରକାର ଉପନିର୍ବାଚନ ପ୍ରକ୍ରିୟା ଶେଷ ହେବ । ତେବେ ପୂର୍ବରୁ ୩ ରାଜ୍ୟସଭା ସଦସ୍ୟ ପଦବୀ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସସ୍ମିତ ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ ଓ ଭାଷ୍କର ରାଓଙ୍କର କାର୍ଯ୍ୟକାଳ ଶେଷ ହେଉଛି । ଏହି ପଦବୀ ଲାଗି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲୁରହିଛି । ସଂଖ୍ୟା ଦୃଷ୍ଟିକୋଣରୁ ବିଜେଡ଼ିର ୪ ଜଣ ରାଜ୍ୟସଭାକୁ ନିର୍ବାଚିତ ହେବା ପ୍ରାୟ ନିଶ୍ଚିତ । ବିନା ପ୍ରତିଦ୍ୱନ୍ଦିତାରେ ବିଜେଡ଼ି ପ୍ରାର୍ଥୀମାନେ ନିର୍ବାଚିତ ହୋଇପାରିବେ ।

ତେବେ ବିଜେଡି ପକ୍ଷରୁ ଏପର୍ଯ୍ୟନ୍ତ ପ୍ରାର୍ଥୀକ ନାମ ଘୋଷଣା କରାଯାଇନାହିଁ । ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହୋଇଥିବାରୁ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଇତିମଧ୍ୟରେ ଦଳ ଭିତରେ ଏକ ଭିନ୍ନ ସ୍ୱର ଉଠିଛି । ଯେଉଁମାନେ ଅଣକଂଗ୍ରେସ ରାଜନୀତିର ମୁଳଦୁଆ ପକାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ବିଜୁ ପଟ୍ଟନାୟକଙ୍କ ସମୟରୁ ତାଙ୍କ ସହ କାର୍ଯ୍ୟକାରିଛନ୍ତି, ସେମାନଙ୍କୁ ପ୍ରାର୍ଥୀ କରିବା ଲାଗି ଏକ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି ।

ଅଣକଂଗ୍ରେସ ପ୍ଲାଟଫର୍ମଟି ବିଭିନ୍ନ ସମୟରେ ଓଡ଼ିଶାରେ ଭିନ୍ନ ଭିନ୍ନ ଦଳରେ ନାମିତ ହେଲାପରେ ଏବେ ବିଜୁ ଜନତା ଦଳ ହୋଇଛି । ଜରୁରୀକାଳୀନ ପରିସ୍ଥିତି ସମୟରେ ଅନେକ ନେତା ମଧ୍ୟ ଆନ୍ଦୋଳନରେ ସାମିଲ ହୋଇ ଜେଲ ଯାଇଥିଲେ । ସେମାନେ ଏବେ ବି ବିଜେଡିରେ ଅଛନ୍ତି । ମାତ୍ର କୌଣସି ପଦପଦବୀ ଆଜି ଯାଏଁ ମିଳିନାହିଁ । ରାଜ୍ୟସଭା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଗୃହରେ ବରିଷ୍ଠ ତଥା ଅଭିଜ୍ଞ ନେତାମାନଙ୍କୁ ସ୍ଥାନ ଦେବା ପାଇଁ ମତ ପ୍ରକାଶ ପାଉଛି ।

ବିଜେଡିର ରାଜ୍ୟନୈତିକ ଦୃଷ୍ଟି ଭଙ୍ଗ ଅନୁଯାୟୀ ୪ ପଦବୀ ମଧ୍ୟରୁ ଦୁଇ ମହିଳା ଯାଇପାରନ୍ତି । ଏଥିପାଇଁ ବହୁ ନାରୀନେତ୍ରୀଙ୍କ ନାମ ଚର୍ଚ୍ଚା ହେଉଛି । ପୂର୍ବତନ ମନ୍ତ୍ରୀ ଉଷା ଦେବୀ, ସୁସ୍ମିତା ବାଗଚୀ, ସୁଲତା ଦେଓ, ରାସେଶ୍ୱରୀ ପାଣିଗ୍ରାହୀ, ସରୋଜିନୀ ହେମ୍ବ୍ରମଙ୍କ ସମେତ ବହୁ ନାମଚର୍ଚ୍ଚା ହେଉଛି ।

ସେହିଭଳି ବରିଷ୍ଠ ନେତାଙ୍କ ମଧ୍ୟରେ ପ୍ରସନ୍ନ ପାଟ୍ଟଶାଣୀ, ରମେଶ ଚନ୍ଦ୍ର ଚାଉପଟ୍ଟନାୟକ, ମଙ୍ଗଳା କିଷାନ, କଳିକେଶ ସିଂଦେଓ, ଅରୁପ ପଟ୍ଟନାୟକଙ୍କ ନାମ ଚର୍ଚ୍ଚା ହେଉଛି । ସେହିଭଳି ସସ୍ମିତ ପାତ୍ରଙ୍କୁ ପୁନର୍ବାର ରାଜ୍ୟସଭାକୁ ପଠାଇବାରେ ମଧ୍ୟ ନିଷ୍ପତ୍ତି ହୋଇଥିବା ଆଲୋଚନା ହେଉଛି । ଏହାଛଡା ବିଜେଡ଼ି ବରିଷ୍ଠ ନେତା ଜୟଦେବ ପରିଡା, ରବି ସାମଲଙ୍କ ନାମ ମଧ୍ୟ ଆଶାୟୀଙ୍କ ତାଲିକାରେ ସ୍ଥାନ ପାଇଛି ।

କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ପ୍ରଦୀପ ମାଝୀ ମଧ୍ୟ ରାଜ୍ୟସଭାକୁ ଯିବା ପାଇଁ ଆଗ୍ରହୀ ଅଛନ୍ତି । ଆଶାୟୀଙ୍କ ସଂଖ୍ୟା ଏଭଳି ବଢ଼ିଛି ଯେ, ଦଳୀୟ ନେତୃବୃନ୍ଦ କେଉଁ ଆଧାରରେ ପ୍ରାର୍ଥୀ ଚୟନ କରିବେ ତାହା ଏବେ ଆକଳନ କରିବା ମୁସ୍କିଲ ହୋଇଛି । ତେବେ ସବୁ ବେଳେ ପ୍ରାର୍ଥୀ ଚୟନରେ ଆଶ୍ଚର୍ଯ୍ୟ ଚକିତ କରୁଥିବା ନବୀନ ଏଥର ବି ଅନୁରୂପ ନିଷ୍ପତ୍ତି ନେଇପାରନ୍ତି ବୋଲି ମତପ୍ରକାଶ ପାଉଛି ।