ଓଡ଼ିଶାରୁ ୯୦ ଟଙ୍କାରେ ଲିଚୁ କିଣି ୨୦୦ରେ ବିକୁଛି ଆନ୍ଧ୍ର

ଭୁବନେଶ୍ବର (ସଂକେତ୍ ଟିଭି) : ଖରାଦିନେ ଲିଚୁର ବେଶ ଚାହିଦା ରହିଥିବା ବଳେ ଲୋକେ ମଧ୍ୟ ଲିଚୂ ଖାଇବାର ମଜା ଉଠେଇଥାନ୍ତି ଲୋକେ । ଏବେ ଲିଚୁ ପସରା ମାନଙ୍କରେ ଗରାଖ ମାନଙ୍କର ଭିଡ ଦେଖିବାକୁ ମିଳୁଥିବା ବେଳେ ଲିଚୁ ଚାଷ କରି ଚାଷୀଙ୍କରୁ ଆରମ୍ଭ କରି ବେପାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଦୁଇପଇସା ଭଲ ଲାଭ ପାଇଥାନ୍ତି । ହେଲେ ଏବେ କୋରାପୁଟର ଲିଚୁ ଉପରେ ଆନ୍ଧ୍ର ବ୍ୟବସାୟୀଙ୍କ ନଜର ରହିଛି । ମେ’ ମାସରେ କୋରାପୁଟରେ ଲିଚୁ ଅମଳ ହୋଇଥାଏ । ଏହାକୁ ସାଗମାଛ ଦରରେ ଆନ୍ଧ୍ରର ମାଫିଆମାନେ ଟ୍ରକ ଲାଗାଇ ସିଧା ଚାଷୀଙ୍କ ବଗିଚାରୁ କିଣି ନେଉଛନ୍ତି । କେଜି ପ୍ରତି ୯୦ ଟଙ୍କାରେ କିଣି ନେଉଛନ୍ତି ପଡୋଶୀ ରାଜ୍ୟର ବ୍ୟବସାୟୀ । ସେହି ଲିଚୁକୁ କୋରାପୁଟରେ ଏକଚାଟିଆ କରି ବିକ୍ରି କରୁଥିବା ଦେଖିବାକୁ ମିଳିଛି ।

କୋରାପୁଟର ଲକ୍ଷ୍ମୀପୁର, ନାରାୟଣପାଟଣା, ଦଶମନ୍ତପୁର, ବନ୍ଧୁଗାଁ, ନନ୍ଦପୁର, ବୈପାରିଗୁଡା ଓ ବୋରିଗୁମ୍ମାରେ ଚଳିତବର୍ଷ ୪୨ ଜଣ ଚାଷୀ ପ୍ରାୟ ୧୩୦ ହେକ୍ଟର ଜମିରେ ଲିଚୁ ଚାଷ କରିଥିଲେ । ଉଦ୍ୟାନକୃଷି ବିଭାଗ ଓ ଘରୋଇ ଉଦ୍ୟୋଗର ପ୍ରଚେଷ୍ଟାରେ ଚଳିତବର୍ଷ ଭଲ ଲିଚୁ ବଉଳ ହୋଇଥିଲା । ଶୀତଦିନେ କୁହୁଡି ଯୋଗୁଁ ପ୍ରାୟ ୪୦ ପ୍ରତିଶତ କସି ନଷ୍ଟ ହୋଇଯାଇଥିଲା । ହେଲେ ଠିକ ଭାବେ ଦେଖାରଖା କରିବା ପରେ ସେହି ପ୍ରତିଶତ କସିରୁ ଯାହା ଫଳ ଫଳିଥିଲା ତାହା କୋରାପୁଟ ବଜାରକୁ ନିଅଣ୍ଟ ପଡିଥିଲା । ଠିକ ସମୟରେ ବଜାରକୁ ଆସିଥିବାବେଳେ ସାଗମାଛ ଦରରେ ଲିଚୁକୁ ଚାଷୀଙ୍କଠାରୁ କିଣି ନେଉଛନ୍ତି ଆନ୍ଧ୍ର ବ୍ୟବସାୟୀ । ଏହାକୁ କୋରାପୁଟରେ କେଜି ପ୍ରତି ୯୦ ଟଙ୍କାରେ ୧୮୦ରୁ ୨୦୦ ଟଙ୍କାରେ ବିକ୍ରି କରୁଛି ।

ଲକ୍ଷ୍ମୀପୁର, ନନ୍ଦପୁର ଓ ବୋରିଗୁମ୍ମା ଲିଚୁର ଏକ ସ୍ୱତନ୍ତ୍ରତା ରହିଥିବା ବେଳେ ପାହାଡୀ ଝରଣାରେ ସ୍ୱଚ୍ଛ ଶିତଳ ଜଳଧାର ଏବଂ ଅନୁକୁଳ ବାତାବରଣ ଏହି ଲିଚୁକୁ ଅଧିକ ସ୍ୱାଦିଷ୍ଟ କରିାରିଛି । ଲିଚୁ ପାଚିଗଲା ପରେ ଅତି ସ୍ୱଳ୍ପ ସମୟ ଭିତରେ ଚାଷୀକୁ ଲିଚୁ ବିକ୍ରୟ କରିବାକୁ ପଡିଥାଏ । ଏହାର ସୁଯୋଗ ନେଇ ଆନ୍ଧ୍ର ବ୍ୟବସାୟୀମାନେ କୋରାପୁଟ ଲିଚୁ ବଜାରକୁ ଏକଚାଟିଆ କରିବାକୁ ଲାଗିଛନ୍ତି । ଏଭଳି ପରସ୍ଥିତିରେ ଚାଷୀଙ୍କୁ ନାହିଁ ନ ଥିବା କ୍ଷତି ମଧ୍ୟ ସହିବାକୁ ପଡିଥାଏ । ଲକ୍ଷ୍ମୀପୁର, ନନ୍ଦପୁର, ବୋରିଗୁମ୍ମା ଅଞ୍ଚଳରେ ଲିଚୁବିକ୍ରୟ ପାଇଁ ବଜାର ବ୍ୟବସ୍ଥା ଓ ରଖିବା ପାଇଁ ଶିତଳ ଭଣ୍ଡାରର ବ୍ୟବସ୍ଥା କଲେ ଚାଷୀ ଲିଚୁର ପ୍ରକୃତ ମୂଲ୍ୟ ପାଇ ପାରନ୍ତେ ।