ଦ. ଆଫ୍ରିକା ସିରିଜ୍ ପୂର୍ବରୁ ଖେଳାଳିଙ୍କୁ ଦେବାକୁ ପଡିବ ଫିଟନେସ୍ ଟେଷ୍ଟ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଆଇପିଏଲ ପରେ ଘରୋଇ ମାଟିରେ ଭାରତୀୟ କ୍ରିକେଟ୍ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍ ଖେଳିବ। ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଟି-୨୦ ସିରିଜରେ ସାମିଲ୍ ଖେଳାଳିଙ୍କୁ ଆଇପିଏଲ ପରେ ଫିଟନେସ୍ ଟେଷ୍ଟ ଦେବାକୁ ପଡିବ ବୋଲି ବିସିସିଆଇ କହିଛି।

ଭାରତୀୟ ଦଳର ସମସ୍ତ ଖେଳାଳି ଜୁନ ୫ କିମ୍ବା ତା ପୂର୍ବରୁ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ରେ ଏକତ୍ରିତ ହେବେ। ଏନସିଏ ନିର୍ଦ୍ଦେଶକ ଭିଭିଏସ ଲକ୍ଷ୍ମଣ ଏବଂ ଫିଜିଓ ନୀତିନ ପଟେଲଙ୍କ ତତ୍ଵାବଧାନରେ ସମସ୍ତ ଖେଳାଳିଙ୍କ ଫିଟନେସ୍ ପରୀକ୍ଷା କରାଯିବ। ଏଥିରେ ଉତ୍ତୀର୍ଣ୍ଣ ହେବା ପରେ ଖେଳାଳି ଜୁନ ୭ରେ ବେଙ୍ଗାଲୁରୁରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

ବିସିସିଆଇର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି, ଦକ୍ଷିଣ ଆଫ୍ରିକା ସିରିଜ୍ ପାଇଁ ସମସ୍ତ ଖେଳାଳି ଏନସିଏରେ ଫିଟନେସ୍ ଟେଷ୍ଟ ପାଇଁ ଏକାଠି ହେବେ। ଏହା ଏଥିପାଇଁ କାରଣ ଅନେକ ଖେଳାଳି ଛୋଟ ମୋଟ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ହର୍ଷଲଙ୍କ ଠାରେ ଏବେ ମଧ୍ୟ ଷ୍ଟିଜ୍ ପଡିଛି। ତେଣୁ ବୋର୍ଡ ଖେଳାଳିଙ୍କ ଫିଟନେସ୍ ନେଇ ସୁନିଶ୍ଚିତ ହେବାକୁ ଚାହୁଁଛି।

ରାହୁଲ ଦ୍ରାବିଡ ପୂରା ଦକ୍ଷିଣ ଆଫ୍ରିକା ସିରିଜରେ ଦଳରେ ଉପଲବ୍ଧ ରହିବେ। ଏହା ପରେ ଓ୍ଵାର୍ମ ଅପ୍ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଜୁନ ୨୧ରେ ଇଂଲଣ୍ଡରେ ଟେଷ୍ଟ ଦଳ ସହ ଯୋଗ ଦେବେ।

ଅଧିକାରୀ କହିଛନ୍ତି ରାହୁଲ ଦକ୍ଷିଣ ଆଫ୍ରିକା ସିରିଜରେ ଦଳରେ ଉପଲବ୍ଧ ହେବାକୁ ଚାହୁଁଛନ୍ତି। ଏହି ବିଚାର ହୋଇଥିଲା ଯେ, ସେ ଟେଷ୍ଟ ଦଳ ସହ ଇଂଲଣ୍ଡ ଯାତ୍ରା କରିବେ ଏବଂ ଲକ୍ଷ୍ମଣ ଦକ୍ଷିଣ ଆଫ୍ରିକା ସିରିଜରେ ଦଳର ମୁଖ୍ୟ କୋଚ୍ ଦାୟିତ୍ଵ ନିଭାଇବେ। ମାତ୍ର ଦ୍ରାବିଡ ଇଂଲଣ୍ଡ ଯିବା ପୂର୍ବରୁ ସେ ସବୁ କିଛି ଦେଖିବାକୁ ଚାହାନ୍ତି।