ପନ୍ତ ୧୦୦ ଟେଷ୍ଟ ଖେଳିଲେ ଇତିହାସ ବନିଯିବେ: ବିରେନ୍ଦ୍ର ସେହ୍ୱାଗ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ପୂର୍ବତନ ଭାରତୀୟ କ୍ରିକେଟର ତଥା ଆକ୍ରମଣାତ୍ମକ ଓପନିଂ ବ୍ୟାଟର ବିରେନ୍ଦ୍ର ସେହ୍ୱାଗ କହିଛନ୍ତି ଯେ ଯୁବ ୱିକେଟ କିପର ରିଷଭ ପନ୍ତ ଜଣେ ଉଦୀୟମାନ ଖେଳାଳି । ତାଙ୍କ ନିକଟରେ ଯଥେଷ୍ଟ ପ୍ରତିଭା ରହିଛି । କାରଣ ସବୁ ଫର୍ମାଟରେ ସେ ନିଜର ଦକ୍ଷତା ପ୍ରମାଣିତ କରି ଆସୁଛନ୍ତି । ଭାରତ ପାଇଁ ୩୦ ଟେଷ୍ଟ ଖେଳି ୪ ଶତକ ଓ ୯ ଅର୍ଦ୍ଧଶତକ ସହିତ ୪୦.୮୫ ହାରରେ ମୋଟ ୧୯୨୦ ରନ ସଂଗ୍ରହ କରିଛନ୍ତି ।

ନିକଟରେ ଅନୁଷ୍ଠିତ ହୋଇ ଯାଇଥିବା ଶ୍ରୀଲଙ୍କା ବିପକ୍ଷ ଘରୋଇ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ସେ ୧୦୨.୧୨ ଷ୍ଟ୍ରାଇକ ରେଟରେ ମୋଟ ୧୮୫ ରନ ସଂଗ୍ରହ କରିଥିଲେ । ବେଙ୍ଗାଲୁରରେ ଅନୁଷ୍ଠିତ ଏହି ସିରିଜର ପିଙ୍କ ବଲ ଟେଷ୍ଟର ଦ୍ୱିତୀୟ ଦିନ କେବଳ ୨୮ ବଲରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଭାରତର କେବଳ ୧୧ ବ୍ୟାଟର ଏହି ସଫଳତା ପାଇଥିବା ବେଳେ ପନ୍ତ ହେଉଛନ୍ତି ଅନ୍ୟତମ ଦୃଷ୍ଟାନ୍ତ ।

ଟେଷ୍ଟ କ୍ରିକେଟରେ ୮୫୮୬ ଓ ଦିନିକିଆରେ ୮୨୭୩ ରନ କରିଥିବା ସେହ୍ୱାଗ କହିଛନ୍ତି ଯେ ବର୍ତ୍ତମାନ ଫଟାଫଟ୍ କ୍ରିକେଟ ଭାବେ ପରିଗଣିତ ଟି-୨୦ ଫର୍ମାଟ କ୍ରିକେଟ ବିଶ୍ୱରେ ଅଧିକ ଚାହିଦା ସୃଷ୍ଟି କରି ଥିଲେ ହେଁ ଆଗାମୀ ଦିନରେ ଟେଷ୍ଟ କ୍ରିକେଟ ତିଷ୍ଠି ରହିବ । କାରଣ ଟେଷ୍ଟ କ୍ରିକେଟ ହିଁ ଅଲଟରନେଟିଭ ଫର୍ମାଟ ଭାବେ ସବୁ ଦିନ ପାଇଁ ସ୍ଥିତି ବଜାୟ ରଖି ପାରିବ । ତେଣୁ ବିରାଟ କୋହଲି ସବୁବେଳେ ଟେଷ୍ଟ କ୍ରିକେଟ ଖେଳିବା ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । କାରଣ ସେ ଜାଣିଛନ୍ତି ଯେଜୀବନରେ ୧୫୦ କିମ୍ବା ୨୦୦ ଟେଷ୍ଟ ଖେଳି ପାରିଲେ ତାଙ୍କର ରେକର୍ଡ କ୍ରିକେଟ ଜଗତରେ ଅମର ହୋଇ ରହିବ ।

ସେହିପରି ସଚିନ ତେନ୍ଦୁଲକର ଟେଷ୍ଟ କ୍ରିକେଟକୁ ଅଧିକ ପସନ୍ଦ କରନ୍ତି । ଅନ୍ୟ ପକ୍ଷରେ ତେନ୍ଦୁଲକର ଟେଷ୍ଟ କ୍ରିକେଟର ପ୍ରଥମ ବଲରେ ଚୌକା ମାରିବା ପାଇଁ ମୋତେ ସବୁବେଳେ ପରାମର୍ଶ ଦେଇଥାନ୍ତି । ମାତ୍ର ମୁଁ କେବେ ତାହା କରି ପାରି ନ ଥିଲି ବୋଲି ସେହ୍ୱାଗ କହିଛନ୍ତି ।