ତିନି ଥର ପରାଜିତ ପ୍ରାର୍ଥୀଙ୍କୁ ଆଉ ମିଳିବ ନାହିଁ ଟିକେଟ : ନର ଲୋ‌କେଶ

ବିଜୟଓ୍ବାଡା (ସଂକେତ୍ ଟିଭି) : ୩ ଥର ହାରିଥିବା ପ୍ରାର୍ଥୀଙ୍କୁ ଟିକେଟ୍‌ ମିଳିବ ନାହିଁ ‘ତେଲୁଗୁ ଦେଶସମ୍‌ ପାର୍ଟି’ର (ଟିଡିପି) ଜାତୀୟ ସାଧାରଣ ସଚିବ ନର ଲୋକେଶ କହିଛନ୍ତି। ବିଗତ ନିର୍ବାଚନଗୁଡ଼ିକରେ ଏକାଦିକ୍ରମେ ୩ ଥର ନିର୍ବାଚନ ହାରିଥିବା ପ୍ରାର୍ଥୀମାନଙ୍କୁ ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ଟିକେଟ୍‌ ନ ଦେବା ପାଇଁ ଦଳ ସ୍ଥିର କରିଛି ବୋଲି ନର ଲୋକେଶ କହିଛନ୍ତି।

ସେ କହିଛନ୍ତି ଦଳୀୟ ପଦବୀ ଆବଣ୍ଟନ ବେଳେ ‘୨+୧ ଉପାୟ’ ଅନୁସରଣ କରାଯିବ। ଏକାଦିକ୍ରମେ ଦୁଇ ବର୍ଷ ଧରି କୌଣସି ଦଳୀୟ ପଦବୀରେ ଥିବା ବ୍ୟକ୍ତିଙ୍କୁ ଉପରସ୍ତରୀୟ କିଂବା ତଳସ୍ତରୀୟ ପଦବୀ ଦିଆଯିବ ଅଥବା କୌଣସି ପଦବୀ ଦିଆଯିବ ନାହିଁ। କିନ୍ତୁ, ଏକା ପଦବୀରେ ସେ ତୃତୀୟ ବର୍ଷ ରହି ପାରିବେ ନାହିଁ। ଏହା ମୋ କ୍ଷେତ୍ରରେ ବି ପ୍ରଯୁଜ୍ୟ।

ଟିଡିପି ଯୁବ ସମ୍ପ୍ରଦାୟଙ୍କୁ ୪୦% ଟିକିଟ୍‌ ଦେବ। ଦଳର ନେତୃତ୍ବ ଯଦି ଆଦେଶ ଦିଏ ତେବେ, ସେ କୌଣସି ପଦଯାତ୍ରା କିଂବା ଆନ୍ଦୋଳନର ନେତୃତ୍ବ ନେବାକୁ ପ୍ରସ୍ତୁତ। ନିର୍ବାଚନ ସମୟରେ ମେଣ୍ଟ ସଂକ୍ରାନ୍ତରେ ବିତର୍କ କରାଯାଇ ଯାହା କିଛି ସ୍ଥିର କରାଯିବ ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ ୨୦୧୯ରେ ପ୍ରଥମ ଥର ପାଇଁ ନିର୍ବାଚନରେ ଲୋକେଶ ପ୍ରତିଦ୍ବନ୍ଦ୍ବିତା କରିଥିଲେ। କିନ୍ତୁ, ଏହି ନିର୍ବାଚନରେ ସେ ପରାଜିତ ହୋଇଥିଲେ।