କ୍ରିକେଟ୍‌ରୁ ବିରତି ନିଅନ୍ତୁ ବିରାଟ କୋହଲି: ବ୍ରେଟ ଲି

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଅଧୁନା କ୍ୟାରିୟରର ସବୁଠୁ ଖରାପ ସମୟ ଦେଇ ଗତି କରୁଛନ୍ତି । ଆଦୌ ଫର୍ମରେ ନଥିବା ବିରାଟ ଚଳିତ ଆଇପିଏଲ୍‌ ସିଜନ୍‌ରେ ଚରମ ବିଫଳତାର ସମ୍ମୁଖୀନ ହୋଇଛନ୍ତି । ଜଣେ ଆକ୍ରାମଣ ଖେଳାଳି ଭାବେ ବିରାଟ ଜଣାଶୁଣା । କ୍ରିକେଟ୍‌ର ୩ଟି ଯାକ ଫର୍ମାଟରେ ଅନେକ କୀର୍ତ୍ତିମାନର ଅଧିକାର ହୋଇଛନ୍ତି । ଏପରି ସଚିନ୍‌ ତେନ୍ଦୁଲକରଙ୍କ ଶତକରେ ଶତକ କୀର୍ତ୍ତିମାନଙ୍କୁ କୋହଲି ଟପି ଯାଇପାରନ୍ତି ବୋଲି ଅନେକ ଭବିଷ୍ୟବାଣୀ କରିଥିଲେ । ଏହା ଏବେ ଅବାସ୍ତବରେ ପରିଣତ ହେବାକୁ ଯାଉଥିବା ପ୍ରତୀୟମାନ ହେଉଛି । କାରଣ କୋହଲି ପୂର୍ବ ଫର୍ମ ଫେରିପାଇବାକୁ ସଂଘର୍ଷ କରୁଛନ୍ତି ।

ଏଭଳି ଏକ ସମୟରେ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ ଲି ନିଜର ମତ ରଖିଛନ୍ତି । କୋହଲିଙ୍କୁ କ୍ରିକେଟ୍‌ରୁ ବିରତି ନେବାର ସମୟ ଆସିଯାଇଛି । ନିଜ ମନ ଓ ମସ୍ତିସ୍କକୁ ସତେଜ ରଖିବା ପାଇଁ କୋହଲି କ୍ରିକେଟ୍‌ରୁ କିଛି ଦିନ ପାଇଁ ବିରତି ନେବା ଜରୁରୀ ବୋଲି ବ୍ରେଟ ଲି କହିଛନ୍ତି । କ୍ରମାଗତ କ୍ରିକେଟ୍‌ ଯୋଗୁଁ କୋହଲି ଲୟ ହରାଇଛନ୍ତି । ତେଣୁ କ୍ରିକେଟ୍‌ଠୁ ଦୂରେଇ ରହି ନିଜକୁ ମାନସିକସ୍ତରରେ ଦୂରିଭୂତ କରିବା ଓ ନିଜ ଦୋଷ ଦୁର୍ବଳତାକୁ ସୁଧାରିବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି ।

ଚଳିତ ଆଇପିଏଲ୍‌ରେ କୋହଲି ମୋଟ୍‌ ୧୬ଟି ମ୍ୟାଚ ଖେଳି ୩୪୧ ରନ୍‌ ସଂଗ୍ରହ କରିଛନ୍ତି । ତାଙ୍କର ରନ୍‌ ସଂଗ୍ରହହାର ୨୨.୭୩ ରହିଛି । ୨୦୧୬ ସଂସ୍କରଣରେ କୋହଲି ୮୦୦ରୁ ୯୦୦ ରନ୍‌ ସଂଗ୍ରହ କରି ସର୍ବାଧିକ ରନ୍‌ ସ୍କୋରର ହୋଇଥିଲେ । ଏହା ସତ୍ତେ୍ୱ ଚଳିତ ସଂସ୍କରଣରେ ତାଙ୍କ ପ୍ରଦର୍ଶନ ରସାତଳଗାମୀ ହୋଇଛି । ତେଣୁ ତେରଛା ସମାଲୋଚନା ହେବା ପୂର୍ବରୁ କୋହଲି ନିଜେ ବିରତି ନେବା ନିଷ୍ପତ୍ତି ବୁଦ୍ଧିମାନର ପରିଚୟ ହେବ ବୋଲି ଲି’ କହିଛନ୍ତି ।