ନେପାଳରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା, ବିମାନରେ ଥିଲେ ଚାରିଜଣ ଭାରତୀୟ

କାଠମାଣ୍ଡୁ (ସଂକେତ୍ ଟିଭି) : ନେପାଳରେ ତାରା ଏୟାର ନାଇନ ଏନଏଇଟି ଟ୍ବିନ ଇଞ୍ଜିନ ବିଶିଷ୍ଟ ବିମାନ ନିଖୋଜ ହୋଇଯାଇଛି । ଏଥିରେ ତିନିଜଣ କ୍ରୁ ମେମ୍ବରଙ୍କୁ ମିଶାଇ ୨୨ ଜଣ ଥିଲେ । ବିମାନରେ ଚାରିଜଣ ଭାରତୀୟ ଏବଂ ଦୁଇ ଜଣ ଜର୍ମାନ ନାଗରିକ ମଧ୍ୟ ଥିଲେ । ବାକିମାନେ ନେପାଳର ନାଗରିକ ଥିଲେ । ତେବେ ବିମାନଟି କୋଓ୍ବାଙ୍ଗ ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ନେପାଳର ସେନାର ଜଓ୍ବାନ ମାନେ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ବାହାରିଛନ୍ତି ।

ଦୁର୍ଘଟଣା ଗ୍ରସ୍ତ ବିମାନରେ ଭାରତୀୟ ଯାତ୍ରୀ ଅଶୋକ କୁମାର ତ୍ରିପାଠୀ, ଧନୁଶ ତ୍ରିପାଠୀ, ରିତିକା ତ୍ରିପାଠୀ ଏବଂ ବୈଷ୍ଣବୀ ତ୍ରିପାଠୀ ଥିଲେ ବୋଲି ନେପାଳ ଏୟାରଲାଇନ୍ସ ସୂତ୍ରରୁ ପ୍ରକାଶ

ବିମାନବନ୍ଦର ଅଧିକାରୀ କହିଛନ୍ତି ଯେ ବିମାନଟି ପୋଖରା ଠାରୁ ଜୋମସମ ଅଭିମୁଖେ ୯:୫୫ ରେ ଉଡ଼ିଥିଲା । ସକାଳ ପ୍ରାୟ ୧୦.୩୫ମିନିଟରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।

ସୂଚନା ଅନୁସାରେ, ମୁସ୍ତାଙ୍ଗ ଜିଲ୍ଲାର ଜମସମ ଆକାଶରେ ବିମାନ ଦେଖାଯାଇଥିଲା । ମାଉଣ୍ଟ ଧଉଳଗିରି ଅଭିମୁଖେ ଗଲା ପରେ ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି ।

ଗୃହ ମନ୍ତ୍ରଣାଳୟର ମୁଖପାତ୍ର ଫାଦିନ୍ଦ୍ର ମଣି ପୋଖରେଲ କହିଛନ୍ତି ଯେ ନିଖୋଜ ବିମାନର ଅନୁସନ୍ଧାନ ପାଇଁ ମନ୍ତ୍ରଣାଳୟ ମୁସ୍ତାଙ୍ଗ ଏବଂ ପୋଖରା ଠାରୁ ଦୁଇଟି ଘରୋଇ ହେଲିକପ୍ଟର ନିୟୋଜିତ କରାଯାଇଥିଲା ।

ମୁଖ୍ୟ ଜିଲ୍ଲା ଅଧିକାରୀ ନେତ୍ର ପ୍ରସାଦ ଶର୍ମା କହିଛନ୍ତି ଯେ ଏହି ବିମାନଟି ମୁସ୍ତାଙ୍ଗ ଜିଲ୍ଲାର ଜୋମସୋମର ଆକାଶ ଉପରେ ନଜର ଆସିଥିଲା ​​ଏବଂ ପରେ ସେ ଯୋଗାଯୋଗ ହରାଇଥିଲା ।