ଜୁନ ମାସରୁ ମିଳିବ ନାହିଁ ଗହମ

ଭୁବନେଶ୍ବର (ସଂକେତ୍ ଟିଭି) : ରାଜ୍ୟରେ ଥିବା ପିଡିଏସ କେନ୍ଦ୍ରଗୁଡ଼ିକେର ଆସନ୍ତା ଜୁନ ମାସରୁ ଗହମ ମିଳିବନି । ୧୦ ମାସ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ । ୨୦୦୭ ପରେ ଚଳିତବର୍ଷ କେନ୍ଦ୍ର ସରକାରଙ୍କ ଗହମ ସଂଗ୍ରହ ସର୍ବନିମ୍ନ ରହିଛି । ଏଥିଯୋଗୁଁ କେନ୍ଦ୍ର ପକ୍ଷରୁ ଓଡ଼ିଶାକୁ ଦିଆଯାଉଥିବା ୨୪ ହଜାର ୭୦୦ ମେଟ୍ରିକ ଟନ୍ ଗହମ ଯୋଗାଣ ବନ୍ଦ କରାଯାଇଥିବା ଏଫସିଆଇ ସ୍ୱତ୍ରରୁ ସୂଚନା ମିଳିଛି । ଏହା ବଦଳରେ ରାଜ୍ୟକୁ ଚାଉଳ ମିଳିବ ।

ଏଥିଯୋଗୁଁ ଗହମ ପାଇଁ ପିଡିଏସ କେନ୍ଦ୍ର ଉପରେ ନିର୍ଭରଶୀଳ ୩ ଲକ୍ଷରୁ ଅଧିକ ଗ୍ରାହକ କ୍ଷତିଗ୍ରସ୍ତ ହେବେ । ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୮୬ ପ୍ରତିଶତ ଚାଉଳ ଏବଂ ୧୪ ପ୍ରତିଶତ ଗହମ ଯୋଗାଣ ହୁଏ । ଏଥିରେ ୨ଟି କାଟାଗୋରିରେ ଥିବା ସମୁଦାୟ ୩କୋଟି ୨୫ ଲକ୍ଷ ଲୋକ ଗହମ କ୍ରୟ କରିଥାଆନ୍ତି । ଓଡ଼ିଶା ଚାଉଳ ଉତ୍ପାଦନରେ ଆତ୍ମନିର୍ଭରଶୀଳ । ମାତ୍ର ରାଜ୍ୟରେ ଗହମ ଉତ୍ପାଦିତ ହେଉନଥିବାରୁ ସମୁଦାୟ ୨୪ ହଜାର ୭୦୦ ମେଟ୍ରିକ ଟନ୍ କେନ୍ଦ୍ର ଦେଇଥାଏ । ପଂଜାବ, ହରିୟାଣାରୁ ସଂଗୃହୀତ ଗହମ କେନ୍ଦ୍ର ଓଡ଼ିଶାକୁ ଦେଇଥାଏ । କିନ୍ତୁ କିଛି ଦିନ ତଳେ ଗହମ ବଦଳରେ ଚାଉଳ ଦେବାକୁ କେନ୍ଦ୍ରକୁ ଚିଠି ଲେଖିଥିଲେ ରାଜ୍ୟ ଯୋଗାଣ ମନ୍ତ୍ରୀ ।

ଗହମ ରପ୍ତାନି ବନ୍ଦ ସଂପର୍କରେ ମୁହଁ ଖୋଲିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଗହମ ରପ୍ତାନି ବନ୍ଦର ଅର୍ଥ ନୁହେଁ ଯେ ଦେଶରେ ଗହମର ଅଭାବ ରହିଛି । ଦେଶରେ ଗହମର ଅଭାବ ନାହିଁ, କିନ୍ତୁ ବିଦେଶକୁ ପ୍ରଚୁର ପରିମାଣରେ ଗହମ ରପ୍ତାନିକୁ ରୋକିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି । ସେ କହିଛନ୍ତି ଯେ ଆମ ପାଇଁ ଜାତୀୟ ସ୍ୱାର୍ଥ ସର୍ବୋପରି । ଏହି କାରଣରୁ ଦେଶରେ ଗହମର ଅଭାବ ନାହିଁ । କିନ୍ତୁ ବଜାରରେ ଏକ ଭାରସାମ୍ୟ ରକ୍ଷା କରିବାକୁ ଓ ବିଦେଶକୁ ପ୍ରଚୁର ପରିମାଣରେ ଗହମ ରପ୍ତାନିକୁ ବନ୍ଦ କରିବାକୁ ସରକାର ଏହି ନିଷେଧାଜ୍ଞା ଲଗାଇଛନ୍ତି । ଆମକୁ ଦେଶର ଚାହିଦାକୁ ଆଗ ପୂରଣ କରିବାକୁ ହେବ ।

ଭାରତ ସରକାର ଗତ ମେ ୧୪ରେ ଗହମ ରପ୍ତାନି ଉପରେ କଟକଣା ଲଗାଇଥିଲେ । ଦେଶରେ ଗହମର ଦରବୃଦ୍ଧିକୁ ରୋକିବାକୁ ଓ ଉପଲବ୍ଧତା ନିଶ୍ଚିତ କରିବାକୁ ସରକାର ଏହି ପଦକ୍ଷେପ ନେଇଥିଲେ । ତେବେ ଜି-୭ ଦେଶ ସମେତ ବିଶ୍ୱର କେତେକ ପ୍ରମୁଖ ଦେଶ ରପ୍ତାନି କଟକଣା ଉଠାଇବାକୁ ଭାରତକୁ ଅନୁରୋଧ କରିଥିଲେ ।

ଦୁଇଦିନ ତଳେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ କହିଥିଲେ ଯେ ଗହମ ରପ୍ତାନି ଉପରେ ସରକାର ଲଗାଇଥିବା କଟକଣା ଉଠାଇବାର କୌଣସି ସମ୍ଭାବନା ନାହିଁ । ତେବେ ବିଭିନ୍ନ ଦେଶର ସରକାରଙ୍କ ସହ ହୋଇଥିବା ଚୁକ୍ତି ଅନୁଯାୟୀ ଗହମ ଯୋଗାଣ ଜାରି ରହିବ ।