ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି-କଂଗ୍ରେସ ଜାରି କଲେ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ (ସଂକେତ୍ ଟିଭି) : କଂଗ୍ରେସ ରାଜ୍ୟସଭା ନିର୍ବାଚନ ପାଇଁ ୧୦ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ଯେଉଁଥିରେ ଦଳର ଜାତୀୟ ସାଧାରଣ ସଚିବ ରଣଦୀପ ସିଂ ସୁର୍ଜେୱାଲା , ଇମ୍ରାନ ପ୍ରତାପଗଢ଼ୀ ଏବଂ ପ୍ରମୋଦ ତିୱାରୀ ସମେତ ଅନ୍ୟମାନଙ୍କୁ ସୁଯୋଗ ଦିଆଯାଇଛି । କିନ୍ତୁ ଜି-23 ନେତା ଗୁଲାମ ନବୀ ଆଜାଦ ଓ ଆନନ୍ଦ ଶର୍ମାଙ୍କୁ ତାଲିକାରୁ ବାଦ ଦିଆଯାଇଛି । ଏହି ତାଲିକାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ନାମ ହେଉଛି ଇମ୍ରାନ ପ୍ରତାପଗରୀ, ଯାହାଙ୍କୁ ମହାରାଷ୍ଟ୍ରରୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଛି ।

କଂଗ୍ରେସ ଛତିଶଗଡରୁ ରାଜୀବ ଶୁକ୍ଲା ଓ ରଣଜିତ୍ ରଂଜନ, ହରିୟାଣାରୁ ଅଜୟ ମାକନ୍, କର୍ଣ୍ଣାଟକରୁ ଜୟରାମ ରମେଶ, ମଧ୍ୟପ୍ରଦେଶରୁ ବିବେକ ତନ୍ଖା ଏବଂ ତାମିଲନାଡୁରୁ ପି ଚିଦାମ୍ବରମଙ୍କୁ ପ୍ରାର୍ଥୀ କରିଛି । ମହାରାଷ୍ଟ୍ରରୁ ଇମ୍ରାନ ପ୍ରତାପଗରୀ ମୈଦାନକୁ ଓହ୍ଲାଇଥିବାବେଳେ ମୁକୁଲ ୱାସନିକ, ରଣଦୀପ ସିଂ ସୁରଜେୱାଲା ଏବଂ ପ୍ରମୋଦ ତିୱାରୀଙ୍କୁ ରାଜସ୍ଥାନରୁ ଟିକେଟ ଦିଆଯାଇଛି । ୧୫ଟି ରାଜ୍ୟରେ ୫୭ଟି ରାଜ୍ୟସଭା ଆସନ ପାଇଁ ଜୁନ ୧୦ରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ । ଭୋଟ ଗଣତି ସେହି ଦିନ ସନ୍ଧ୍ୟା ୫ଟାରୁ ଆରମ୍ଭ ହେବ । ତେବେ ଏହି ତାଲିକା ପ୍ରକାଶ ହେବା ମାତ୍ରେ କଂଗ୍ରେସରେ ବିଦ୍ରୋହୀ ସ୍ୱର ମଧ୍ୟ ଶୁଣିବାକୁ ମିଳିଛି । କିଛି କଂଗ୍ରେସ ନେତା ଇମ୍ରାନଙ୍କ ନାମ ନେଇ ଦଳର ହାଇ କମାଣ୍ଡକୁ ସିଧାସଳଖ ଟାର୍ଗେଟ କରିଛନ୍ତି ।

ସେହିପରି ୧୫ଟି ରାଜ୍ୟରେ ୫୭ଟି ରାଜ୍ୟସଭା ଆସନ ପାଇଁ ବିଜେପି ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେପିର ୧୮ ପ୍ରାର୍ଥୀଙ୍କ ମଧ୍ୟରୁ ୬ ଜଣ ଉତ୍ତରପ୍ରଦେଶରୁ ଅଛନ୍ତି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଗୋରଖପୁର ସହରାଞ୍ଚଳ ଆସନ ଛାଡ଼ି ଥିବା ବିଜେପିର ପୂର୍ବତନ ବିଧାୟକ ରାଧା ମୋହନ ଦାସ ଅଗ୍ରୱାଲଙ୍କୁ ରାଜ୍ୟସଭା ପାଇଁ ଦଳର ପ୍ରାର୍ଥୀ କରାଯାଇଛି । ବିଜେପି ମଧ୍ୟ ୟୁପିର ପୂର୍ବତନ ପ୍ରଦେଶାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ବାଜପେୟୀଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି । ଏହା ବ୍ୟତୀତ ରାଜ୍ୟସଭାର ବର୍ତ୍ତମାନର ସଦସ୍ୟ ସୁରେନ୍ଦ୍ର ସିଂ ନାଗର ଏବଂ ୟୁପି ପଛୁଆ ବର୍ଗ ଫାଇନାନ୍ସ ଆଣ୍ଡ ଡେଭଲପମେଣ୍ଟ କର୍ପୋରେସନର ଅଧ୍ୟକ୍ଷ ବାବୁରାମ ନିଶାଦଙ୍କୁ ମଧ୍ୟ ପ୍ରାର୍ଥୀ କରିଛି । ଦଳ ରାଜ୍ୟର ଦୁଇଜଣ ମହିଳା ଦର୍ଶନା ସିଂ ଓ ସଙ୍ଗୀତା ଯାଦବଙ୍କୁ ମଧ୍ୟ ନିର୍ବାଚନୀ ମୈଦୀନକୁ ଓହ୍ଲାଇଛି । ଦର୍ଶନା ଦଳର ମହିଳା ଶାଖାର ପୂର୍ବତନ ମୁଖ୍ୟ ହୋଇଥିବାବେଳେ ସଂଗୀତା ଗୋରଖପୁରର ଚୌରୀ ଚୌରାରୁ ଦଳର ପୂର୍ବତନ ବିଧାୟକ ଅଟନ୍ତି ।

ଦଳ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ମହାରାଷ୍ଟ୍ରରୁ, ନିର୍ମଳା ସୀତାରମଣଙ୍କୁ କର୍ଣ୍ଣାଟକରୁ, ପୂର୍ବତନ ବିଧାୟକ କୃଷ୍ଣ ଲାଲ ପନୱାରଙ୍କୁ ହରିୟାଣାରୁ, କବିତା ପାଟିଦାରଙ୍କୁ ମଧ୍ୟପ୍ରଦେଶରୁ, ଘନଶ୍ୟାମ ତିୱାରୀଙ୍କୁ ରାଜସ୍ଥାନରୁ, କଳ୍ପନା ସୈନୀଙ୍କୁ ଉତ୍ତରାଖଣ୍ଡରୁ, ସତୀଶ ଚନ୍ଦ୍ର ଦୁବେଙ୍କୁ ବିହାରରୁ, ଶମ୍ଭୁ ଶରଣ ପଟେଲଙ୍କୁ ବିହାରରୁ, ଅନିଲ ସୁଖଦେବରାଓ ବଣ୍ଡେଙ୍କୁ ମହାରାଷ୍ଟ୍ରରୁ, ଧନଞ୍ଜୟ ମହାଦିକଙ୍କୁ ମହାରାଷ୍ଟ୍ରରୁ, ଆଦିତ୍ୟ ସାହୁଙ୍କୁ ଝାଡ଼ଖଣ୍ଡରୁ, ଅଭିନେତାରୁ ନେତା ହୋଇଥିବା ଜଗ୍ଗେଶଙ୍କୁ କର୍ଣ୍ଣାଟକ ପ୍ରାର୍ଥୀ କରାଯାଇଛି ।