ପଶ୍ଚିମ ପଶ୍ଚିମକୁ ଫେରିଲା ତାତି

ଭୁବନେଶ୍ୱର (ସଂକେତ୍ ଟିଭି) : ରାଜ୍ୟରେ ପୁଣି ତାତି ଫେରିଛି । ପଶ୍ଚିମ ଓଡ଼ିଶା ଜଳୁଛି । ଆକାଶରୁ ନିଆଁ ବର୍ଷା ହେଉଛି । ଆଜି ୧୭ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି । ସେଥିରୁ ୮ଟି ସହରରେ ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି । ଆଗକୁ ଆହୁରି ଜାଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ପାଣିପାଗ ବିଶେଷଜ୍ଞ ଉମା ଶଙ୍କର ଦାଶ କହିଛନ୍ତି, ପଶ୍ଚିମ ଓଡ଼ିଶାକୁ ଫେରିଛି ତାତି । ସୋନପୁର ସବୁଠୁ ଉତ୍ତପ୍ତ ଥିବା ସହ ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ରହିଛି । ସେହିପରି ଟିଟଲାଗଡରେ ୪୩.୮ ଡିଗ୍ରୀ, ବଲାଙ୍ଗୀରରେ ୪୩.୪ ଡିଗ୍ରୀ, ଝାରସୁଗୁଡାରେ ୪୩.୪ ଡିଗ୍ରୀ, ସମ୍ବଲପୁର ୪୩ ଡିଗ୍ରୀ, ବରଗଡ ୪୩ ଡିଗ୍ରୀ, ଭବାନୀପାଟଣା ୪୩ ଡିଗ୍ରୀ ଏବଂ ବୌଦ୍ଧରେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଉପକୂଳରେ ତାପମାତ୍ରା ସ୍ୱାଭାବିକ ଥିବା ବେଳେ ଆର୍ଦ୍ରତା ଯୋଗୁ ଗୁଳୁଗୁଳି ସହିତ ଗରମ ଅନୁଭୂତ ହେଉଛି । ଦିନ କି ରାତି କିଛି ଜଣାପଡ଼ୁନି । ସବୁ ସମୟରେ ନିଆଁ ବର୍ଷା ହେଉଛି ।

ଦିନର ପିକ୍‌ ସମୟରେ ଯେଉଁଠି ୩୮ ଡିଗ୍ରୀ ସେଲସିୟସ ତାପମାତ୍ରା ରହୁଛି, ସେଠାରେ ୫୦ ଡିଗ୍ରୀ ଉପରେ ତାତି ଅନୂଭବ ହେଉଛି । ଏଭଳି ଭୀଷଣ ଗରମ ଆର୍ଦ୍ରତା ଯୋଗୁ ବଢ଼ୁଛି ବୋଲି କହିଛନ୍ତି ପାଣିପଗ ବିଶେଷଜ୍ଞ । ଆଗକୁ ଆହୁରି ଗରମ ହୋଇପାରେ । ରାତିରେ ଅସହ୍ୟ ଗୁଳୁଗୁଳି ସହିତ ଝାଞ୍ଜି ପବନ ବୋହିପାରେ । କାଳବୈଶାଖୀ ବର୍ଷା କମ୍‌ ଏବଂ କିଛି ଟ୍ରଫଲାଇନ ନହେବା ଯୋଗୁ ତାତି ବଢ଼ୁଛି । କାଳବୈଶାଖୀ ବର୍ଷା କାଁଭାଁ ସ୍ଥାନକୁ ଛାଡ଼ି ଦେଲେ କୌଣସି ଜାଗାରେ ସମ୍ଭାବନା କମ୍‌ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।