୨ ବର୍ଷ ପରେ ଭାରତରୁ ବାଂଲାଦେଶକୁ ଗଡ଼ିଲା ଟ୍ରେନ୍‌

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଦୀର୍ଘ ୨ ବର୍ଷ ପରେ ଭାରତ-ବାଂଲା ଦେଶ ମଧ୍ୟରେ ଟ୍ରେନ୍‌ ସେବା ଆରମ୍ଭ ହୋଇଛି । ମହାମାରୀ କରୋନା ଯୋଗୁ ବନ୍ଦ ଥିବା ରେଳସେବା ପୁଣି ଥରେ ଆଜିଠାରୁ ଶୁଭାରମ୍ଭ ହୋଇଛି । ଆଜି କୋଲକାତାରେ ବନ୍ଧନ ଏକ୍ସପ୍ରେସ୍‌କୁ ପତାକା ଦେଖାଇ ଯାତ୍ରା ଆରମ୍ଭ ହୋଇଥିଲା । ପୂର୍ବତଟ ରେଲୱେ ପକ୍ଷରୁ ଏହି ସେବା ଆରମ୍ଭ ହୋଇଥିବା ବେଳେ ବନ୍ଧନ ଏକ୍ସପ୍ରେସ୍ କୋଲକାତାରୁ ପଡ଼ୋଶୀ ବଂଲାଦେଶର ଖୁଲଣକୁ ଯାତ୍ରା କରିଛି ।

ସେହିପରି ମୈତ୍ରୀ ଏକ୍ସପେସ୍‌କୁ ମଧ୍ୟ କୋଲକାତାରୁ ଢାକା ଯାତ୍ରା ପାଇଁ ପ୍ରସ୍ତୁତ କରାଯାଇଛି । ଏହି ଟ୍ରେନ୍ ଆଜି କୋଲକାତାରୁ ଢାକା ଅଭିମୁଖେ ଯାତ୍ରା କରିବ । ୨୦୨୦ ମାର୍ଚ୍ଚ ମାସ ପରଠାରୁ ଉଭୟ ଦେଶ ମଧ୍ୟରେ ପୁଣି ଥରେ ଏହି ଟ୍ରେନ୍ ସେବା ଆରମ୍ଭ ହୋଇଥିବାରୁ ଯାତ୍ରୀଙ୍କୁ ଖୁସି ଆଣିଦେଇଛି ।

କରୋନା ମହାମାରୀ ଯୋଗୁ ଗତ ୨ ବର୍ଷ ହେଲା ଦୁଇ ଦେଶ ମଧ୍ୟରେ ପାସେଞ୍ଜର ଟ୍ରେନ୍ ସେବାକୁ ବାତିଲ କରାଯାଇଥିଲା । ତେବେ ଗତକାଲି ସକାଳ ୭ଟା ୧୦ରେ କୋଲକାତା ଷ୍ଟେସନରେ ବନ୍ଧନ ଏକ୍ସପ୍ରେସ୍ ବଂଲାଦେଶେ ଅଭିମୁଖେ ଗଡ଼ିଥିଲା । ପୂର୍ବତଟ ରେଳବାଇ ପକ୍ଷରୁ ମୁଖପାତ୍ର ଏକଲବ୍ୟ ଚକ୍ରବର୍ତ୍ତୀ ଏହି ସୂଚନା ଦେଇଛନ୍ତି ।

କୋଲକାତାରୁ ଖୁଲଣ ମଧ୍ୟରେ ବନ୍ଧନ ଏକ୍ସପ୍ରେସ୍ ସପ୍ତାହକୁ ୨ ଥର, ମୈତ୍ରୀ ଏକ୍ସପ୍ରେସ୍ କୋଲକାତାରୁ ଢାକାକୁ ସପ୍ତାହକୁ ୫ ଥର ଯାତ୍ରା କରିବ । ଏହି ଟ୍ରେନ୍ ସେବା ଆରମ୍ଭ ହେବା ପରେ ଉଭୟ ଦେଶର ସୀମାର ଯାତ୍ରୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଲିଛି । ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି ଯେ, ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଟ୍ରେନ୍ ଟିକେଟ ସମ୍ପୂର୍ଣ୍ଣ ବୁକିଂ ହୋଇଛି । ଉଭୟ ଦେଶକୁ ଗମନାଗମନ ପାଇଁ ଟ୍ରେନ୍ ଯାତ୍ରା ସୂଲଭ ମୂଲ୍ୟ ଥିବାରୁ ଯାତ୍ରୀମାନେ ବେଶ ପସନ୍ଦ କରୁଛନ୍ତି । ଫଳରେ ରେଳଯାତ୍ରାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଯାତ୍ରୀ । ଗୋଟିଏ ଟ୍ରେନ୍‌ରେ ୪୫୦ ଜଣ ଯାତ୍ରୀ ଯାଇପାରିବେ । ସେହି ରି ଯାତ୍ରୀଙ୍କ ଆରାମ ପାଇଁ ଏସି ଚେୟାର ଏବଂ ଏକଜିକ୍ୟୁଟିଭ କାଟାଗୋରି ବ୍ୟବସ୍ଥା ରହିଛି ।

ସେହିପରି ଉଭୟ ଦେଶ ମଧ୍ୟରେ ଗମନାଗମନକୁ ଅଧିକ ସକ୍ରିୟ ପାଇଁ ଜୁନ୍ ୧ରୁ ମିତାଲ ଟ୍ରେନ୍ ଯାତ୍ରା କରିବ । ଏହି ନୂତନ ସେବା ଉତ୍ତର ପଶ୍ଚିମବଙ୍କର ପର୍ଯ୍ୟଟନସ୍ଥଳକୁ ଯାତ୍ରୀଙ୍କୁ ଆକର୍ଷିତ କରିବାରେ ସହାୟକ ହେବ । କାରଣ ଅନେକ ବାଂଲାଦେଶୀ ପର୍ଯ୍ୟଟକଭାବେ ଦାର୍ଜେଲିଂ ଓ ଅନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ହିଲି ଅଞ୍ଚଳକୁ ଆସିବାକୁ ପସନ୍ଦ କରିଥାନ୍ତି ।