ବିମୂଦ୍ରିକରଣ ପରେ ଜାଲ୍‌ ନୋଟ୍‌ କାରବାର ବଢ଼ିଛି

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଭାରତୀୟ ରିଜର୍ଭ ବ୍ୟାଙ୍କର ସବିଶେଷ ବାର୍ଷିକ ରିପୋର୍ଟ ଅନୁଯାୟୀ ଜାଲ୍‌ନୋଟ୍‌ କାରବାର ବୃଦ୍ଧି ପାଇଛି । ବିମୂଦ୍ରିକରଣ ପରେ ଜାଲ୍‌ନୋଟ୍‌ କାରବାର ବନ୍ଦ ହୋଇଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ । ମାତ୍ର ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ଏବେ ଏହା ବହୁ ଗୁଣରେ ବୃଦ୍ଧି ପାଇଛି । ଫଳରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡିକ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ଆର୍‌ବିଆଇ ତଥ୍ୟ ଅନୁଯାୟୀ ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ୧୦୧.୯%ରୁ ଅଧିକ ଜାଲ୍‌ ୫୦୦ ଟଙ୍କିଆ ନୋଟି ଓ ୫୪.୧୬% ଅଧିକ ଜାଲ୍‌ ୨୦୦୦ ଟଙ୍କିଆ ନୋଟ୍‌ ଚିହ୍ନଟ ହୋଇଛି । ଗତବର୍ଷ ତୁଳନାରେ ଜାଲ୍‌ନୋଟ୍‌ କାରବାର ବହୁ ମାତ୍ରାରେ ବୃଦ୍ଧି ପାଇଛି । ୨୦୧୬ରେ କେନ୍ଦ୍ର ସରକାର ବିମୂଦ୍ରିକରଣ ଘୋଷଣା କରିଥିଲେ ।

ରାତି ୮ଟା ବେଳେ ହଠାତ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଜାରେ ଟଙ୍କିଆ ଓ ୫୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିଦେଇଥିଲେ । ଏହାର ମୁଖ୍ୟ ଲକ୍ଷ୍ୟ ଜାଲ୍‌ ନୋଟ୍‌ ଓ କଳା ଟଙ୍କା କାରବାରକୁ ରୋକିବା ପାଇଁ ଥିଲା ବୋଲି କୁହାଯାଇଥିଲା । ଜାଲ୍‌ ନୋଟ୍‌ର ମୂଳୋତ୍ପାଟନ ବିମୂଦି୍ରକରଣର ମୂଳ କାରଣ ବୋଲି ଦର୍ଶାଯାଇଥିଲା ।

ହେଲେ ଜାଲ୍‌ ନୋଟ୍‌ ବଢ଼ିଥିବାରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ ବିମୂଦ୍ରିକରଣର ଏହି ଦୁର୍ଭାଗ୍ୟଜନକ ସଫଳତା ହେଉଛି ଯେ ଭାରତୀୟ ଅର୍ଥନୀତିକୁ ‘ଟପିଡୋ’ (ଯାହାଜ ବୁଡାଇବା ଅଥବା ଆକ୍ରମଣ କରିବା ପାଇଁ କ୍ଷେପଣାସ୍ତ୍ର ଭଳି ଅସ୍ତ୍ର) ଆକ୍ରମଣ କରିବା । ଭାରତୀୟ ଅର୍ଥନୀତିର ଆଜି ଏହି ଦୁଃସ୍ଥିତି ହୋଇଛି ।

ସେହିଭଳି ତୃଣମୂଳ କଂଗ୍ରେସର ନେତା ଡେରେକ୍‌ ଓ ବିରେନ୍‌ କହିଛନ୍ତି ଯେ ନମସ୍କାର ପ୍ରଧାନମନ୍ତ୍ରୀ ମୋଦି, ବିମୂଦ୍ରିକରଣ ମନେ ରହିବ । କିଭଳି ମମତା ବାନାର୍ଜୀ ତତ୍‌କ୍ଷଣାତ୍‌ ଆପଣଙ୍କୁ ଚ୍ୟାଲେଞ୍ଜ କରିଥିଲେ ତାହା ମନେ ପଡୁଛି ତ । ଦେଶରୁ ସମସ୍ତ ଜାଲ୍‌ ନୋଟ୍‌ ହଟିବ ବୋଲି ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏବେ ଜାଲ୍‌ ନୋଟ୍‌ ବିପୁଳ ପରିମାଣରେ ବୃଦ୍ଧି ପାଇଛି । ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ବିମୂଦ୍ରିକରଣର ପ୍ରମୁଖ ଫାଇଦା ଏବେ ବୁଝାପଡୁଛି । ୨୦୦୦ ଟଙ୍କିଆ ନୋଟ୍‌ ଏବେ ଜାଲ୍‌ ହୋଇସାରିଛି ଏବଂ ଏହା ବଜାରରେ ଉପଲବ୍ଧ ହେଉନାହିଁ ।

ସୂଚନାଯୋଗ୍ୟ ୨୦୧୬ ନଭେମ୍ବରରେ ବିମୂଦ୍ରିକରଣ କରାଯାଇ ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିଦିଆଯାଇଥିଲା । ଏହା ବଦଳରେ ୫୦୦ ଓ ୨୦୦୦ ଟଙ୍କିଆର ନୂଆ ନୋଟ୍‌ ପ୍ରଚଳନ ହୋଇଥିଲା ।