ବଜାରରେ ଦୁଇଗୁଣା ବଢ଼ିଛି ୫୦୦ ଟଙ୍କାର ନକଲୀ ନୋଟ୍ କାରବାର

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଦେଶରେ ନକଲୀ ନୋଟ ପରିମାଣରେ ଦ୍ରୁତ ଅଭିବୃଦ୍ଧି ହୋଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ତଥ୍ୟ ଅନୁଯାୟୀ ୨୦୨୧- ୨୨ରେ ନକଲୀ ନୋଟ ପରିମାଣ ଢେର ବଢ଼ି ଯାଇଛି । ଏଥିରେ ୫୦୦ ଟଙ୍କାର ନକଲୀ ନୋଟ ପରିମାଣରେ ୧୦୧.୯ ପ୍ରତିଶତ ବଢ଼ି ଯାଇଥିବା ଉଲ୍ଲେଖ କରିଛନ୍ତି ।

ସେହିପରି ୨୦୨୧-୨୨ରେ ୨୦୦୦ ଟଙ୍କାର ନକଲୀ ନୋଟ ପରିମାଣ ବଜାରରେ ପ୍ରାୟ ୫୪.୧୬ ପ୍ରତିଶତରୁ ଅଧିକ ଥିବା ସୂଚିତ କରିଛନ୍ତି । ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ବଜାରରେ ସର୍କୁଲେସନରେ ଥିବା ୫୦୦ ଓ ୨ ହଜାର ଟଙ୍କାର ବ୍ୟାଙ୍କ ନୋଟର ଭାଗିଦାରୀ ମୋଟ ମୂଲ୍ୟର ୮୭.୧ ପ୍ରତିଶତ ଥିଲା । ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଏହି ହାର ୮୫.୭ ପ୍ରତିଶତ ଥିଲା । ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ୫୦୦ ଟଙ୍କା ନୋଟର ଭାଗିଦାରୀ ସବୁଠୁ ଅଧିକ ଥିଲା । ଯାହା ୩୪.୯ ପ୍ରତିଶତ ଥିଲାୟ ଏହା ପଛକୁ ଥିଲା ୧୦ ଟଙ୍କିଆ ବ୍ୟାଙ୍କ ନୋଟ । ଯାହା ମୋଟ ସଂଖ୍ୟାର ୨୧.୩ ପ୍ରତିଶତ ଥିଲା ।

ଗତବର୍ଷର ତୁଳନା କଲେ ୧୦, ୨୦, ୨୦୦, ୫୦୦ ଓ ୨ହଜାର ଟଙ୍କିଆ ନୋଟର ନକଲୀ ନୋଟ ପ୍ରଚଳନର ପରିମାଣ କ୍ରମାନୁସାରେ ୧୬.୪, ୧୬.୫, ୧୧.୭, ୧୦୧.୯ ଓ ୫୪.୬ ପ୍ରତିଶତ ବଢିଛି । ଏହା ବି ରୀତ ୫୦ ଟଙ୍କାର ନକଲୀ ନୋଟ ପରିମାଣ ବଜାରରେ ୨୮.୭ ପ୍ରତିଶତ ଓ ୧୦୦ ଟଙ୍କିଆ ନୋଟର ୧୬.୭ ପ୍ରତିଶତ ହ୍ରାସ ହୋଇଛି । ବଜାରରେ ଗତ କିଛି ବର୍ଷ ହେଲା ୨ ହଜାର ଟଙ୍କିଆ ନୋଟର ସଂଖ୍ୟା ହ୍ରାସ ହୋଇ ଚାଲିଛି ।

ଚଳିତ ମାର୍ଚ୍ଚ ପର୍ଯ୍ୟନ୍ତ ବଜାରରେ ପ୍ରଚଳନରେ ଥିବା ମୋଟ ନୋଟରେ ଏହି ନୋଟର ବାଗିଦାରୀ ୧.୬ ପ୍ରତିଶତ ଅର୍ଥାତ ୨୧୪ କୋଟି ଟଙ୍କା ହ୍ରାସ ହୋଇଥିବା ଆରବିଆଇଙ୍କ ବାର୍ଷିକ ରିପୋର୍ଟରେ କୁହାଯାଇଛି । ତେବେ ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ବଜାରରେ ପ୍ରଚଳନରେ ଥିବା ସବୁ ବର୍ଗର ମୋଟ ନୋଟ ସଂଖ୍ୟା ୧୩,୦୫୩ କୋଟି ଟଙ୍କା ଥିଲା । ଯାହା ପୂର୍ବ ବର୍ଷ ଅର୍ଥାତ ୨୦୨୧ ମସିହାରେ ୧୨, ୪୩୭ କୋଟି ଟଙ୍କା ଥିଲା ।