ଶ୍ରୀଲଙ୍କାରୁ ସ୍ଥାନାନ୍ତର ହୋଇପାରେ ଏସିଆ କପ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଘୋର ଆର୍ଥିକ ସଙ୍କଟ ଏବଂ ଏଥିନେଇ ହିଂସାତ୍ମକ ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ ତଥା ବିଭିନ୍ନ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀର ଅପ୍ରତ୍ୟାଶିତ ଅଭାବ ଭଳି ଅହେତୁକ ସମସ୍ୟା ଦେଇ ଗତି କରୁଥିବା ଶ୍ରୀଲଙ୍କାରୁ ଆଗାମୀ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତା ସ୍ଥାନାନ୍ତର ହେବାର ଆଶଙ୍କା ବି ଯାଇଛି ।

ତେବେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ତୀବ୍ର ଅଶାନ୍ତ ଘରୋଇ ପରିବେଶ ଲାଗି ଏହି ପ୍ରତିଯୋଗିତାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ଏସୀୟ କ୍ରିକେଟ୍ ପରିଷଦ (ଏସିସି) ସଭାପତି ଜୟ ଶାହଙ୍କୁ ଅନୁରୋଧ କରିସାରିଥିବା ଜଣାପଡ଼ିଛି । ଏଥିନେଇ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ସଭାପତି ଶାମି ସିଲଭା ସଂପ୍ରତି ଅହମଦାବାଦରେ ଅଛନ୍ତି । ଏସିଆ କପର ଆଗାମୀ ସଂସ୍କରଣ ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଖେଳାଯିବାର ଅଛି । ସିଲଭାଙ୍କ ସହ ଏଥନେଇ ଯୋଗାଯୋଗରେ ଥିବା ମଧ୍ୟ ଶାହ ଏକ ସାକ୍ଷାତକାର ଅବସରରେ କହିଛନ୍ତି ।

ଶ୍ରୀଲଙ୍କାରୁ ସ୍ଥାନାନ୍ତର ହେଲେ ଏସିଆ କପ୍ ୟୁଏଇ କିମ୍ବା ବାଂଲାଦେଶରେ ଖେଳାଯିବାର ଅଧିକ ସମ୍ଭାବନା ରହିଛି । ତେବେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ବିପକ୍ଷ ଘରୋଇ ଶୃଙ୍ଖଳାକୁ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ସ୍ଥଗିତ ରଖିବନି ବୋଲି ସ୍ପଷ୍ଟ ସଙ୍କେତ ଦେଇଛି ।