ଆଇପିଏଲର ସର୍ବଶ୍ରେଷ୍ଠ ଚାଣକ୍ୟ ଆଶିଷ ନେହେରା

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସର୍ବଶ୍ରେଷ୍ଠ ଚାଣକ୍ୟ ସାବ୍ୟସ୍ତ ହୋଇଛନ୍ତି ଗୁଜରାଟ ଟାଇଟନ୍ସର ମୁଖ୍ୟ କୋଚ୍ ଆଶିଷ ନେହେରା । ପ୍ରଥମ କରି ଆଇପିଏଲ୍ ଖେଳୁଥିବା ଏକ ଟିମ୍ର କୋଚ୍ ଦାୟିତ୍ୱ ର୍ନିବାହ କରିଥିଲେ ସେ, ଯାହାକୁ ନେଇ ସନ୍ଦେହ ଉପୁଜିଥିଲା । ହେଲେ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଦଳର ଟାଇଟଲ ହାସଲ କରିବାର ଲକ୍ଷ୍ୟକୁ ପୂରଣ କରିବାରେ ସେ ପ୍ରମୁଖ ଭୂମିକା ତୁଲାଇଛନ୍ତି । ଏହାକୁ ନେଇ ଚାରିଆଡେ ଏହି ନୂଆ ସୂତ୍ରଧରଙ୍କ ପ୍ରଶଂସା କରାଯାଉଛି ।

ପ୍ରାରମ୍ଭରୁ ଅହମ୍ମଦାବାଦ ଫ୍ରାଞ୍ଚାଇଜ୍ ବିବାଦରେ ରହିଥିଲା । ପ୍ରଥମେ ଟିମର ମାଲିକକୁ ନେଇ ବିବାଦ ପରେ ନାମ ଚୟନରେ ବିଳମ୍ବ ପରିଲକ୍ଷିତ ହୋଇଥିଲା । ପରେ ନେହେରାଙ୍କୁ କୋଚ୍ ନିଯୁକ୍ତ କରାଯିବା ଅନେକଙ୍କୁ ଚକିତ କରିଥିଲା । କାରଣ ନେହେରା ନିଜର କ୍ରିକେଟ କ୍ୟାରିୟରରେ ପ୍ରଦର୍ଶନରୁ ଅଧିକ ଆଘାତ ସମସ୍ୟାକୁ ନେଇ ଚର୍ଚ୍ଚାରେ ରହୁଥିଲେ । ଏଥିଲାଗି ତାଙ୍କୁ ଆଇପିଏଲର କୌଣସି ଟିମର ଏକାଦଶରେ ସ୍ଥାନ ମିଳିବା କଷ୍ଟକର ହେଉଥିଲା । ଏହାସତ୍ତ୍ୱେ ତାଙ୍କୁ ହଠାତ କୋଚ୍ ପଦ ମିଳିଥିଲା ।

ଅପରପକ୍ଷେ ଭାରତୀୟ ଟିମକୁ ବିଶ୍ୱକପ୍ ଜିତାଇଥିବା କୋଚ୍ ଗ୍ୟାରି କିର୍ଷ୍ଟେନଙ୍କୁ ପରାମର୍ଶଦାତା ଭାବେ ଦଳରେ ସାମିଲ କରାଯାଇଥିଲା । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ହେଲେ ସବୁ ଚର୍ଚ୍ଚାର ଜବାବ ନେହେରା ନିଜର ନେତୃତ୍ୱ ନେବା ଶୈଳୀରେ ଦେଇଛନ୍ତି । ଅକ୍ସନ ବେଳରୁ ଫାଇନାଲ ଖେଳିବା ଯାଏ ନିଜର ସ୍ୱତନ୍ତ୍ରତା ପାଇଁ ଆଶିଷ ଚର୍ଚ୍ଚାରେ ।

ଲଗାତାର ଭାବେ ଦଳର ବିଜୟ ପରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓ ଶେଷରେ ସେ ଖେଳାଳିମାନଙ୍କୁ ‘ଖେଳନ୍ତୁ, ଆରାମ କରନ୍ତୁ, ନିଦ ପୂରା କରନ୍ତୁ’ ବୋଲି କହୁଥିବା ଦେଖାଯାଇଥିଲା । ଏହାଛଡ଼ା ସେ ମଇଦାନରେ ପଇଡ ପିଉଥିବା, ଦହି ସରବତ ପିଉଥିବାର ଫଟୋ ସାମ୍ନାକୁ ଆସିଥିଲା । ମାତ୍ର ତାଙ୍କର ରଣନୀତି ସଠିକ ରହିଥିଲା । ଖେଳାଳିମାନଙ୍କ ସହ ସେ ଅଭ୍ୟାସ ବେଳେ ଅଧିକ ସମୟ ବିତାଉଥିଲେ । କାନ୍ଧରେ ହାତ ରଖି ବୁଝାଉଥିଲେ । ଫଳରେ ନୂଆ ଖେଳାଳିମାନେ ଖେଳରେ ସୁଧାର ଆଣିବା ସହ ନିଜ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି କରିଥିଲେ ।

ତେବେ କୋଚିଂ ପୂର୍ବରୁ ନେହେରାଙ୍କ କ୍ରିକେଟ କ୍ୟାରିୟର ଦେଖିଲେ, ସେ ସର୍ବଦା ନିଜର ଆହତ ସମସ୍ୟାକୁ ନେଇ ଚର୍ଚ୍ଚାରେ ରହୁଥିଲେ । କ୍ୟାରିୟରରେ ତାଙ୍କର ୧୨ ଥର ଅପରେଶନ ହୋଇଛି । ମାତ୍ର ଶେଷରେ ସେ ହିଟ୍ ସାବ୍ୟସ୍ତ ହୋଇଥିଲେ । ୨୦୧୭ରେ ‘ବ୍ରେକ୍ଫାଷ୍ଟ ଉଇଥ୍ ଚାମ୍ପିୟନ୍ସ’ରେ ତାଙ୍କର ଏକ ସାକ୍ଷାତକାର ଆସିଥିଲା । ଶୋ’ ପରଠାରୁ ତାଙ୍କର ନାମ ‘ନେହେରା ଜି’ ଭାବେ ଲୋକପ୍ରିୟ ହୋଇଥିଲା ।