ସୋନିଆ ଓ ରାହୁଲ୍ଙ୍କୁ ସମନ୍ ଜାରି କଲା ପ୍ରବର୍ତ୍ତନ ନିର୍ଦେଶାଳୟ
ନୂଆଦିଲ୍ଲୀ (ସଂକେତ୍ ଟିଭି) : କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ସମନ୍ ଜାରି କରିଛି। ‘ନ୍ୟାସ୍ନାଲ୍ ହେରାଲ୍ଡ୍’ ମାମଲାରେ ଏହି ସମନ ଜାରି କରାଯାଇଛି । ୨୦୧୫ରେ ଏହି ମାମଲାକୁ ପ୍ରବର୍ତ୍ତନ ନିର୍ଦେଶାଳୟ ବନ୍ଦ କରି ଦେଇଥିଲା।
ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି କଂଗ୍ରେସ ନେତା ତଥା ବରିଷ୍ଠ ଆଡ୍ଭୋକେଟ୍ ଅଭିଷେକ ମନୁ ସିଙ୍ଗୱି କହିଛନ୍ତି, ବିରୋଧୀମାନଙ୍କୁ ଭୟଭୀତ କରିବା ଲାଗି ବିଜେପି ତାର ନିୟନ୍ତ୍ରଣାଧୀନ ତଦନ୍ତକାରୀ ଏଜେନ୍ସିମାନଙ୍କୁ ବ୍ୟବହାର କରୁଛି। ‘ନ୍ୟାସ୍ନାଲ୍ ହେରାଲଡ୍’ର ଇତିହାସ ସ୍ବାଧୀନତା ସମୟର।
ସେ ଆହୁରି ମଧ୍ୟ କହିଛନ୍ତି, ମମତା ବାନାର୍ଜୀ, ଫାରୁକ୍ ଅବ୍ଦୁଲ୍ଲାଙ୍କ ଭଳି ସମସ୍ତ ବିରୋଧୀ ନେତାମାନେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଆକ୍ରମଣର ଶିକାର ହେଉଛନ୍ତି।
୨୦୧୫ରେ ପ୍ରବର୍ତ୍ତନ ନିର୍ଦେଶାଳୟ ‘ନ୍ୟାସ୍ନାଲ୍ ହେରାଲ୍ଡ୍’ ମାମଲା ବନ୍ଦ କରିଥିଲା। କିନ୍ତୁ, ସରକାର ଏହି ପଦକ୍ଷେପକୁ ନାପସନ୍ଦ କରି ସମ୍ପୃକ୍ତ ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀଙ୍କୁ ହଟାଇ ଦେଇ ନୂଆ ଅଧିକାରୀଙ୍କୁ ନିଯୁକ୍ତ କରି ମାମାଲକୁ ପୁଣି ଚାଲୁ କଲେ। ମୁଦ୍ରାସ୍ଫିତି ଏବଂ ବଢ଼ି ଚାଲିଥିବା ଅନ୍ୟାନ୍ୟ ସମସ୍ୟା ଉପରେ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ସରକାର ଏଭଳି କରୁଛନ୍ତି ବୋଲି ସାଙ୍ଗ୍ୱି କହିଛନ୍ତି।
ସେପଟେ ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ଜେପି ନଡ୍ଡା। ଅପରାଧୀ କେବେ ବି ନିଜ ଦୋଷ ସ୍ବୀକାର କରେ ନାହିଁ ବୋଲି କହିଛନ୍ତି ଜେପି ନଡ୍ଡା। ଭୋପାଳର ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜେପି ନଡ୍ଡା କଂଗ୍ରେସ ନେତାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, କୌଣସି ଅପରାଧୀ କେବେ ବି ନିଜ ଦୋଷ ସ୍ବୀକାର କରେ ନାହିଁ।
ସେମାନେ (ସୋନିଆ-ରାହୁଲ ଗାନ୍ଧୀ) ନିଶ୍ଚିତ ଭାବରେ ଏହାକୁ ଅସ୍ୱୀକାର କରିବେ। ତାଙ୍କ ବିରୋଧରେ ଥିବା କାଗଜପତ୍ରଗୁଡ଼ିକ ହେଉଛି ତାଙ୍କ ଅପରାଧର ପ୍ରମାଣ। ଯଦି ଚାର୍ଜସିଟ୍ ଦାଖଲ ହୁଏ, ତେବେ ଏହାକୁ ବନ୍ଦ କରିବା ପାଇଁ ଆପଣ କୋର୍ଟଙ୍କ ନିକଟକୁ ଯିବେ, କିନ୍ତୁ ସେମାନେ ଜାମିନ ମାଗିଛନ୍ତି। ଏହାର ଅର୍ଥ ସେମାନେ ଦୋଷୀ।