ୟୁକ୍ରେନକୁ ଆମେରିକା ଦେବ ଦୂରଗାମୀ ମିସାଇଲ ସିଷ୍ଟମ

ଓ୍ବାଶିଂଟନ (ସଂକେତ୍ ଟିଭି) : ରୁଷ – ୟୁକ୍ରେନ୍ ଯୁଦ୍ଧକୁ ୯୦ ଦିନରୁ ଅଧିକ ସମୟ ବିତିସାରିଛି । ଏହାପରେ ବି ଯୁଦ୍ଧ ସମାଧାନ ହେବାର ଆଶା ଦେଖାଯାଉନି । ରୁଷ ସେନା ପୂର୍ବ ୟୁକ୍ରେନ୍‌ରେ ଯୋରଦାର ଆକ୍ରମଣ ଜାରି ରଖିଛି । ରୁଷ ସେନା ପୂର୍ବ ୟୁକ୍ରେନ୍‌ର ଅନେକ ସହର ଉପରେ ଆକ୍ରମଣ ଜାରି ରଖିଛି । ୟୁକ୍ରେନୀୟ ସହର ସେଭୋରଡୋନଷ୍ଟେକ୍ ଉପରେ ପ୍ରାୟ ଏକ ସପ୍ତାହ ହେବ ଲଗାତାର ବୋମା ବର୍ଷଣ ଜାରି ରଖିଛି ।

ଲୁଗାନସ୍କର ରାଜ୍ଯପାଳ ସୂଚନା ଦେଇଛନ୍ତି ଯେ , ସେଭୋରଡୋନଷ୍ଟେକ୍ ଉପରେ ରୁଷ ସେନା ଆକ୍ରମଣ ଜାରି ରଖିବାକୁ ସ୍ଥିତି ଖୁବ୍ ସାଂଘାତିକ ହୋଇଛି । ଏହା ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନ୍‌କୁ ଦୂରଗାମୀ ରକେଟ ସିଷ୍ଟମ ଦେବେ ବୋଲି ଘୋଷଣା କରିଛନ୍ତି ।

ଅନ୍ୟପକ୍ଷେ ଏଭଳି ସ୍ଥିତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ପରାମର୍ଶଦାତା ମାଇଖାଇଲେ ପୋଡୋଲିୟାକ୍ ଏକ ଟ୍ୱିଟ୍‌ କରିକହିଛନ୍ତି , ୟୁକ୍ରେନ ଜିତିବା ପାଇଁ ଦୂରଗାମୀ ଅସ୍ତ୍ରର ଆବଶ୍ୟକତା ରହିଛି । ଏହା ପୂର୍ବରୁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷକୁ ସାମନା କରିବାକୁ ପାଶ୍ଚିତ୍ଯ ଦେଶଗୁଡିକୁ ଅତ୍ଯାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ଯ ଦାବି କରିସାରିଛନ୍ତି । ୟୁକ୍ରେନ ଏଭଳି ରକେଟ୍ ସିଷ୍ଟମ ମାଗୁଛି, ଯାହାକି ଶତାଧିକ କିଲୋମିଟର ଦୂରକୁ ଯାଇ ବଡ ଧରଣର ଆକ୍ରମଣ କରିବାରେ ସକ୍ଷମ ହେବ ।

ୟୁକ୍ରେନ୍ ସେନାକୁ ଆମେରିକା ହଜାର ହଜାର ସଂଖ୍ଯାରେ ଆଣ୍ଟି ଏୟାରକ୍ରାଫ୍ଟ ମିସାଇଲ ଓ ଜାଭେଲିନ୍ ଆଣ୍ଟି ଟ୍ୟାଙ୍କ ମାସାଇଲ ଦେଇସାରିଛି । ନିକଟରେ ଆମେରିକା ୪୦ ବିଲିୟନ ଡଲାର ସହାୟତା ୟୁକ୍ରେନକୁ ଦେଇଥିଲା । ଆମେରିକାକୁ ୟୁକ୍ରେନର ଦୂରଗାମୀ ରକେଟ୍ ସିଷ୍ଟମ ଏମ୍‌ ୨୭୦ ମଲ୍ଟିପଲ୍ ଲଞ୍ଚ ରକେଟ ସିଷ୍ଟମ ଓ ଏମ୍ ୧୪୨ ହିମର୍ସ ଦେବାକୁ ଦୀର୍ଘ ଦିନ ହେବ ଦାବି କରୁଛି । ଯଦି ୟୁକ୍ରେନ୍‌କୁ ଏହା ମିଳିଯାଏ ତେବେ ସେ ରୁଷ ସୀମାରୁ ଆକ୍ରମଣ କରିବାରେ ସକ୍ଷମ ହେବ ।