ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ (ସଂକେତ୍ ଟିଭି) : ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଆସନ୍ତା ଜୁନ ୧୨ରେ ଖେଳାଯିବ। ଏହି ମ୍ୟାଚ୍‌ ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଢେଙ୍କାନାଳ ଭୁବନର ସଞ୍ଜୟ ନାୟକଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିବା ଜଣାପଡ଼ିଛି।

ବାରବାଟୀ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା ଅଭିଯୋଗ କରି ମ୍ୟାଚ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟରେ ମାମଲା ଦାୟର ହୋଇଛି। ଏଥିରେ ରାଜ୍ୟ ସରକାର, ବିସିସିଆଇ ଆଦି ୧୫ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ତେବେ ମ୍ୟାଚ୍‌ ପୂର୍ବରୁ ଏହି ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯିବ ବୋଲି ଓସିଏ ପ୍ରତଶ୍ରୁତି ଦେଇଥିଲା । ଏହାକୁ ଖୋଦ୍‌ ଡିସିପି ନିଜ ପ୍ରତିକ୍ରିୟାରେ କହିଥିଲେ ।

ହାଇକୋର୍ଟରେ ଜନସ୍ବାର୍ଥ ମାମଲା ପରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଅନ୍ତର୍ଜାତୀୟ ମ୍ୟାଚ୍‌କୁ ନେଇ ସନ୍ଦେହ ଘନିଭୂତ ହେବାରେ ଲାଗିଛି । ସେପଟେ ଏହାକୁ ନେଇ ଓସିଏ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ୧୨ ତାରିଖରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ପାଇଁ ଆଜିଠାରୁ ଅନଲାଇନ୍‌ ଟିକେଟ ବିକ୍ରି ମଧ୍ୟ ଆରମ୍ଭ ହୋଇଛି । ତେବେ ଏହି ପ୍ରକ୍ରିୟାରେ ବିଳମ୍ବ ଅନୁଭୁତ ହେଉଛି ।