ଧୋନିଙ୍କ ଶୈଳୀରେ ଅଧିନାୟକତ୍ୱ କରୁଛନ୍ତି ପାଣ୍ଡ୍ୟା: ସଞ୍ଜୟ ମଞ୍ଜ୍ରେକର

ନୂଆଦିଲ୍ଲୀ (ସଂକେତ୍ ଟିଭି) : ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ମଞ୍ଜ୍ରେକର କହିଛନ୍ତି ଯେ ଚଳିତ ବର୍ଷର ଆଇପିଏଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟତ୍ୱ ଶୈଳୀ ଅତି ପସନ୍ଦ ଯୋଗ୍ୟ ଥିଲା । କାରଣ ଗୁଜରାଟ ଟାଇଟନ୍ସ ଫ୍ରାଞ୍ଚାଇଜ ପ୍ରଥମ ଥର ପାଇଁ ଆଇପିଏଲରେ ପଦାର୍ପଣ କରି ସଫଳ ହୋଇ ପାରିଛି । ଏଥିପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ସମସ୍ତ ଶ୍ରେୟର ଅଧିକାରୀ । କାରଣ ଦଳକୁ ସେ ଉଚିତ ମାର୍ଗରେ ପରିଚାଳିତ କରିବାରୁ ସଫଳ ହୋଇ ପାରିଲେ ।

ଦଳର ଅନ୍ୟ ସମସ୍ତ ଖେଳାଳିଙ୍କୁ ଠିକ ଭାବେ ଗାଇଡ କରିବା ସହିତ ପାଣ୍ଡ୍ୟା ନିଜେ ଭଲ ପ୍ରଦର୍ଶନ କରିବା ଦ୍ୱାରା ଗୁଜରାଟ ଚାମ୍ପିଅନ ହୋଇ ପାରିଲା । ମୁଖ୍ୟତଃ ଫାଇନାଲ ମ୍ୟାଚରେ ପାଣ୍ଡ୍ୟା ଭଲ ବୋଲିଂ କରି ୧୭ ରନ ବିନିମୟରେ ରାଜସ୍ଥାନ ରୟାଲ୍ସର ତିନି ଗୁରୁତ୍ୱପୂର୍ଣ୍ଣ ୱିକେଟ ଅକ୍ତିଆର କରି ପାରି ଥିଲେ । ଫଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିାକଟ ହରାଇ କେବଳ ୧୩୦ ରନ କରିବାକୁ ସମର୍ଥ ହୋଇ ଥିଲା । ବ୍ୟାଟିଂରେ ମଧ୍ୟ କମାଲ ଦେଖାଇ ପାଣ୍ଡ୍ୟା ୩୦ ବଲରୁ ୩୪ ରନ କରି ଦଳକୁ ସହଜ ବିଜୟ ଉପହାର ଦେଇ ଥିଲେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ପାଣ୍ଡ୍ୟାଙ୍କ ନେତୃତ୍ୱ ଶୈଳୀ ଚେନ୍ନାଇ ସୁପର କିଙ୍ଗସ ଫ୍ରାଞ୍ଚାଇଜର ଅଧିନାୟକ ମହେନ୍ଦ୍ର ସିଂଙ୍କ ଅଧିନାୟକତ୍ୱ ସହିତ ପ୍ରାୟତଃ ସମାନ । କାରଣ ପାଣ୍ଡ୍ୟା ୪ ନମ୍ବର ସ୍ଥାନରେ ବ୍ୟାଟିଂ କରି ସବୁବେଳେ ଦଳର ବିଜୟ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲେ ।

ସେହିପରି ମ୍ୟାଚର ପରିସ୍ଥିତି ଦେଖି ବ୍ୟାଟର ଓ ବୋଲରଙ୍କୁ ନିୟୋଜିତ କରୁଥିଲେ । ଦ୍ୱିତୀୟତଃ ତାଙ୍କ ନେତୃତ୍ୱ ଶୈଳୀ ମଧ୍ୟ ଧୋନିଙ୍କ ପରି ସ୍ଥିରତା ଥିଲା । ପ୍ରତିପକ୍ଷ ଦଳର ବ୍ୟାଟରଙ୍କ ଦକ୍ଷତାକୁ ଆକଳନ କରି ବୋଲରଙ୍କୁ ସଠିକ ବିନିଯୋଗ କରି ପାରୁଥିଲେ । ଫଳରେ ସଫଳତା ପାଇବା ଦିଗରେ କୌଣସି ତ୍ରୁଟି ହେଉ ନ ଥିଲା ବୋଲି ମଞ୍ଜ୍ରେକର କହିଛନ୍ତି ।