ଅନୁଭବଙ୍କ ଘର ଛାଡିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଲେ ଅଦାଲତ

କଟକ (ସଂକେତ୍ ଟିଭି) : ବହୁ ଚର୍ଚ୍ଚିତ ଅଭିନେତ୍ରୀ ବର୍ଷା ସାଂସଦ ଅନୁଭବ ପାରିବାରିକ ବିବାଦ ମାମଲାରେ କଟକ ଏସ୍‌ଡିଜେଏମ୍‌ କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଅନୁଭବଙ୍କ ଏକ ପିଟିସନକୁ ଗ୍ରହଣ କରି ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ନିର୍ଦ୍ଦେଶ ଅନୁଯାୟୀ ବର୍ଷାଙ୍କ ରହଣି ବ୍ୟବସ୍ଥା ପାଇଁ ଅନୁଭବ ମାସିକ ୩୦ ହଜାର ଟଙ୍କା ଦେବେ। ପ୍ରତ୍ୟେକ ମାସ ୧୦ ତାରିଖ ସୁଦ୍ଧା ଏହି ଟଙ୍କା ଦେବାକୁ ହେବ । ପ୍ରଥମ ଟଙ୍କା ପାଇବାର ଦୁଇ ମାସ ମଧ୍ୟରେ ଅନୁଭବଙ୍କ ଘର ଛାଡ଼ିବାକୁ କୋର୍ଟ ବର୍ଷାଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପୈତୃକ ଘର ଛାଡ଼ିବାକୁ ସାଂସଦ ଅନୁଭବ କୋର୍ଟରେ ଆବେଦନ କରିଥିଲେ । କାରଣ ଅନୁଭବଙ୍କ ବାପା, ମା ଅସୁସ୍ଥ ରହୁଛନ୍ତି । ସେଥିପାଇଁ ବର୍ଷା ତାଙ୍କ ଘର ଛାଡନ୍ତୁ ବୋଲି ଅନୁଭବ କୋର୍ଟରେ ଆବେଦନ କରିଥିଲେ ।

ହାଇକୋର୍ଟରେ ବର୍ଷା-ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲା ଚାଲିଛି । ଅନୁଭବ ଆଉ କୌଣସି ମତେ ବର୍ଷାଙ୍କ ସହ ରହିବାକୁ ଚାହୁଁ ନାହାନ୍ତି । ଏଥିପାଇଁ ତାଙ୍କୁ ତୁରନ୍ତ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଏକ ପିଟିସନ ଦାଖଲ କରିଥିଲେ। କୋର୍ଟ ତାଙ୍କ ପିଟିସନ ଗ୍ରହଣ କରି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ।