ସ୍ମାର୍ଟଫୋନ ବ୍ୟବହାରକୁ ଅଚଳ କରିପାରେ ୬ଜି ନେଟୱର୍କ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ସାରା ବିଶ୍ବରେ ଏବେ ୫ଜି ନେଟୱାର୍କ ଉପଲବ୍ଧ ହେବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ୨୦୩୦ ସୁଦ୍ଧା ବିଶ୍ବରେ ୬ଜି ନେଟୱର୍କ ଉପଲବ୍ଧ ହେବ ବୋଲି ନୋକିଆ ସିଇଓ ପେକ୍କା ଲୁଣ୍ଡମାର୍କ କହିଛନ୍ତି । ୬ଜି ନେଟୱର୍କ ଉପଲବ୍ଧ ହେବା ପରେ ସ୍ମାର୍ଟଫୋନ ବ୍ୟବହାର ଅଚଳ ହୋଇଯାଇପାରେ ଅର୍ଥାତ ଆଉ କେହି ସ୍ମାର୍ଟଫୋନ ବ୍ୟବହାର କରିବେ ନାହିଁ ବୋଲି ସେ କହିଛନ୍ତି । ସେ ବିଶ୍ବ ଅର୍ଥନୀତି ଫୋରମରେ ଯୋଗଦେବା ଅବସରରେ ଏହି ମନ୍ତବ୍ୟ ଦେଇଛନ୍ତି ।

ଏବେ ବିଶ୍ବରେ ସ୍ମାର୍ଟଫୋନ, କମନ୍‌ ଇଣ୍ଟରଫେସ ଭାବେ ବ୍ୟବହାର ହେଉଛି । ସ୍ମାର୍ଟଫୋନକୁ ଏବେ ଆମେ ଯୋଗାଯୋଗର ମାଧ୍ୟମ ବୋଲି ବିବେଚନା କରୁଛୁ । ହେଲେ ଆଗକୁ ସ୍ମାର୍ଟଫୋନ ଯୋଗାଯୋଗର ମାଧ୍ୟମ ରହିନାହିଁ । ତାର ସ୍ଥାନ ଆଉ କିଏ ନେବାକୁ ଯାଉଛି । ତେବେ ଏହା କେଉଁ ଡିଭାଇସ ହେବ ସେ ଜାଣିନଥିବା କହିଛନ୍ତି । କମ୍ପାନୀ ୬ଜି ଉପରେ କାମ କରିବା ଆରମ୍ଭ କରିସାରିଥିବା ସେ କହିଛନ୍ତି । କିଛି କମ୍ପାନୀ ଶରୀରରେ ସଂଯୋଗ ହୋଇପାରୁଥିବା ଚିପ୍ସ ମଧ୍ୟ ପ୍ରସ୍ତୁତ କରିବା ଉପରେ କାର୍ଯ୍ୟ କରୁଛନ୍ତି ।

ଇଅରବଡ଼, ଘଣ୍ଟା, ଚଷମା ଭଳି ଏକ ଡିଭାଇସ ନିର୍ମାଣ ହେବ ଯାହାକୁ ଆମେ ଶରୀରରେ ପିନ୍ଧିପାରିବା । ଏଥିରେ ସେନ୍ସର, ମାଇକ୍ରୋଫୋନ ଏବଂ କ୍ୟାମେରା ମଧ୍ୟ ଲାଗିଥିବ । ଯାହାକି ସମସ୍ତ କାର୍ଯ୍ୟକଳାପ ଉପରେ ପ୍ରତିକ୍ରିୟା ରଖିପାରିବ । ଏଯାବତ ୫ଜି ନେଟୱାର୍କ ଭାରତରେ ପହଞ୍ଚିନି । ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ଦେଶବାସୀ ଏହାର ସୁବିଧା ପାଇପାରିବେ। ହେଲେ ଭାରତରେ ସ୍ବଦେଶୀ ପ୍ରଣାଳୀରେ ୬ଜି ନେଟୱର୍କକୁ ବିକଶିତ କରିବା ଲାଗି ଉଦ୍ୟମ ହେଉଥିବା ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ।